ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୁକ୍ରବାର ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଏହି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ତେବେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଫେବ୍ରୁଆରି ୨୬ରେ ସିବିଆଇ ଗିରଫ କରିଥିଲା। ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମଧ୍ୟ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଏପ୍ରିଲ ୫ରେ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଶେଷ ହେବ । ମନୀଷ ସିସୋଦିଆ ସ୍ବତନ୍ତ୍ର ସିବିଆଇ ଅଦାଲତରେ ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ କହିଥିଲେ ଯେ ତାଙ୍କୁ ହେପାଜତରେ ରଖିଲେ ସିବିଆଇର ଉଦ୍ଦେଶ୍ୟ ପୂରଣ ହେବ ନାହିଁ । କାରଣ ଏହି ମାମଲାରେ ସମସ୍ତ ସାମଗ୍ରୀ ଜବତ ହୋଇସାରିଛି । ମୁଁ ସିବିଆଇ ତଦନ୍ତରେ ପୂରା ସହଯୋଗ କରିଥିଲି । ଯେତେବେଳେ ସିବିଆଇ ଡାକିଥିଲା, ସେତେବେଳେ ସେମାନଙ୍କ ସମ୍ମୁଖରେ ହାଜର ହୋଇଥିଲି । ସାର୍ବଜନୀନ ଜୀବନରେ ସକ୍ରିୟ ଥିବାରୁ ସମାଜରେ ତାଙ୍କର ଦୃଢ ଭିତ୍ତି ରହିଛି ବୋଲି ସେ ତାଙ୍କ ଜାମିନ ଆବେଦନରେ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ଜାମିନ ପାଇବାକୁ ହକଦାର ବୋ ଲି ସେ ଏହି ଆବେଦନରେ ଦର୍ଶାଇଥିଲେ । କିନ୍ତୁ ସିବିଆଇ ପକ୍ଷରୁ ତାଙ୍କ ଜାମିନକୁ ବିରୋଧ କରାଯାଇଥିଲା ।
ସୂଚନାଯୋଗ୍ୟ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହା ପୂର୍ବରୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଯାଇଥିଲେ । ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରି ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ଏହା ସହ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଏବେ ପୁଲିସ ହେପାଜତ ଚାହୁଁ ନାହୁଁ। କିନ୍ତୁ ଭବିଷ୍ୟତରେ ଆମେ ଏନେଇ ଦାବି କରିପାରୁ। କାରଣ ଅଭିଯୁକ୍ତଙ୍କ ଆଚରଣ ଠିକ୍ ନାହିଁ। ସାକ୍ଷୀମାନଙ୍କୁ ଭୟଭୀତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ସିସୋଦିଆ। କୋର୍ଟ ୱାରେଣ୍ଟ ଜାରି କରିବା ପରେ ହିଁ ଆମେ ଚଢ଼ଉ କରିଥିଲୁ। ଏହି ମାମଲାରେ ଯାହା ବି ପଦକ୍ଷେପ ନିଆଯାଇଛି ତାହା କୋର୍ଟଙ୍କୁ ଜଣା ଅଛି। ଚିନ୍ତାର ବିଷୟ ହେଉଛି ଯେ ଏସବୁ ପରେ ବି କାହିଁକି ସିବିଆଇ ବେଆଇନ କାର୍ଯ୍ୟ କରୁଛି ବୋଲି ଦର୍ଶାଯାଉଛି। ସିବିଆଇର ପକ୍ଷ ଶୁଣିବା ପରେ କୋର୍ଟ ସିବିଆଇର ଏହି ଦାବିକୁ ମାନି ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଏହାପରେ ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଏହି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।