ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଶୂନ ମୃତାହତ ସଂଖ୍ୟା ସପ୍ତାହ (ଜିରୋ ଫାଟାଲିଟି ଉଇକ) ପାଳନ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ସଚେତନତାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ତରଫରୁ ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ପାଳନ ସଂପର୍କରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ତରଫରୁ ଏକ ଏସ୍ଓପି ପ୍ରସ୍ତୁତ କରି ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡେପୁଟି ପୁଲିସ କମିଶନରଙ୍କ ନିକଟକୁ ପତ୍ର, ପ୍ରେରଣ କରାଯାଇଛି । ବୈଠକରୁ ଜଣାପଡିଛି ଯେ ୨୦୨୨ ବର୍ଷରେ ଓଡ଼ିଶାରେ ୧୧,୬୬୩ ଟି ସଡ଼କ ଦୁର୍ଘଟଣା ହୋଇ ଏଥିରେ ୫,୪୬୭ ଜଣ ମୃତ୍ୟୁବରଣ କରିଥିଲେ । ୨୦୨୧କୁ ତୁଳନା କଲେ ଏ ବର୍ଷ ମୃତ୍ୟୁହାର ସଂଖ୍ୟାରେ ୭.୬୦ ପ୍ରତିଶତ ବୃଦ୍ଧି ଘଟିଛି । ଦୁର୍ଘଟଣା ବେଳେ ଠିକ୍ ସମୟରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁର୍ଘଟଣାଗ୍ରସ୍ତଙ୍କୁ ପହଞ୍ଚାଯାଇ ପାରିଥିଲେ ଏଥିରୁ ଅନେକଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିଥାନ୍ତା । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ବ୍ୟବହାରିକ ପରିବର୍ତ୍ତନ ଆମକୁ ଶୂନ ମୃତାହତ ଆଣି ଦେଇପାରିବ । ଏ ଦିଗରେ ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ଗାଡି ଚଳାଇବା ପାଇଁ ଶପଥ କରାଇବାର ଆବଶ୍ୟକତା ରହିଛି । ଜିଲ୍ଳା ପରିଦେ, ପଂଚାୟତ ସମିତି ଓ ଗ୍ରାମ ପଂଚାୟତ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ବହୁଳ ପ୍ରଚାର ପ୍ରସାର, ନିଶାଯୁକ୍ତ ହୋଇ ଗାଡି ଚଳାଉଥିବା ଗାଡି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏ ଦିଗରେ ସଚେତନତା ନେଇ ବ୍ୟାପକ ପ୍ରଚାର ପ୍ରସାର ଆମକୁ ଅଧିକ ସଫଳତା ଆଣିଦେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ ।
ବୈଠକରେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବା ରାଜ୍ୟ ପାଇଁ ବଡ ଆହ୍ୱାନ ରହିଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସଡ଼କ ସୁରକ୍ଷା ରାଜ୍ୟ ସରକାର ପ୍ରମୁଖ ପ୍ରାଥମିକତା ରହିଛି ଓ ସଡ଼କ ଦୁର୍ଘଟଣା କମାଇବା ପାଇଁ ବିଭାଗ ତରଫରୁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି । ଶିକ୍ଷା, ସଡ଼କ ନିର୍ମାଣ ବେଳେ ଯାନ୍ତ୍ରିକ ଯୋଜନାର ସଠିକ ଉପଯୋଗ, କଡାକଡି ଚଢ଼ଉ ଓ ଦୁର୍ଘଟଣା ସମୟରେ ପୀଡିତଙ୍କୁ ସହାୟତା ମୃତାହତ ସଂଖ୍ୟାକୁ ଶୂନକୁ ଆଣିପାରିବ । ସେହି ପରି ଗୃହ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ମୃତାହତ ସଂଖ୍ୟା ଶୂନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଆବଶ୍ୟକ ସମୟରେ ରକ୍ତ ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ବିଭାଗ ସହ ଯୋଗାଯୋଗରେ ରହୁଥିବା ସଂପୃକ୍ତ ଗ୍ରୁପକୁ ସଜାଗ ରହିବାକୁ କୁହାଯାଇଛି । ଟ୍ରାମା କେୟାର ସେଣ୍ଟକୁ ୨୪ ଘଣ୍ଟା ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳ ଓ ଜାତୀୟ ରାଜପଥରେ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କୁ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରିବାକୁ କୁହାଯାଇଛି । ପୂର୍ତ୍ତ ବିଭାଗ ତଥା ସଂପୃକ୍ତ ସଡ଼କ କର୍ତୃପକ୍ଷଙ୍କୁ ଯଥେଷ୍ଟ ସଂଖ୍ୟକ ସଂକେତ (ସାଇନେଜ୍) ଲଗାଇବା, ଆବଶ୍ୟକ ସ୍ଥାନରେ ଖାଲଖମା ମରାମତି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରାମୀଣ ଓ ସହରାଞ୍ଚଳକୁ ଯୋଗାଯୋଗ କରୁଥିବା ରାସ୍ତାରେ ଟ୍ରାଫିକରୁ ୫୦୦ ମିଟର ପୂର୍ବରୁ ଯାତାୟତ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂକେତ ରଖିବାକୁ କୁହାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ରାସ୍ତାରେ ଗାଇଗୋରୁ ଚଳାଚଳକୁ ନିଷେଧ କରିବା ଓ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗାଡିଗୁଡିକର ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଂଚଳିକ ସଡ଼କ ପରିବହନ ଅଧିକାରୀ, ପୋଲିସ କର୍ମଚାରୀଙ୍କ ସହ ସପ୍ତାହ ବ୍ୟାପି ଚଢ଼ାଉକୁ କଡାକଡି କରିବେ । ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ସଡକ ପରିବହନ ବିଭାଗ, ବ୍ୟବସାୟିକ ସଂଘ ଓ ଟ୍ରକ ମାଲିକ ସଂଘ, ରିକ୍ସା ମାଲିକ ସଂଘମାନଙ୍କୁ ଡ୍ରାଇଭରମାନଙ୍କୁ ଠିକ ଭାବେ ଗାଡି ଚଳାଇବା କାର୍ଯ୍ୟ ସହ ରାଜ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ସେମାନଙ୍କୁ ସହାୟତା କରିବାକୁ ସଚେତନ କରାଯାଇଛି । ଏହି ଶୂନ ମୃତାହତ ମିଶନରେ ସ୍ୱେଚ୍ଛାସେବୀ ଓ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଗ୍ରୁପ “ରକ୍ଷକ” ମାନଙ୍କୁ ଏହି ମିଶନକୁ ସଫଳ କରିବାକୁ ଅନୁରୋଧ କରାଯାଇଛି । ଜନସାଧାରଣଙ୍କ ଯୋଗାଯୋଗ ଓ ସଂପୃକ୍ତ ସହଯୋଗୀ ଅନୁଷ୍ଠାନମାନଙ୍କର ଭାଗିଦାରିତାରେ ଆମେ ମୃତାହତ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଇ ଦେଇ ପାରିବୁ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।