ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କିଡ଼ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ ଅଙ୍ଗ । ରକ୍ତକୁ ସ୍ବଚ୍ଛ କରିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ହେଉଛି କିଡନୀ କାମ । କିଡ଼ନୀ ସୁସ୍ଥ ରହିଲେ, ଶରୀର ଫିଟ ରହିଥାଏ। ଯଦି କିଡନୀ କାମ କରିବା ବନ୍ଦ କରିଦିଏ, ତେବେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ ।
କିଡ଼ନୀ ନଷ୍ଟ ହେବାର କାରଣ କ’ଣ?
-ଖରାପ ଜୀବନଶୈଳୀ ଏବଂ ଖାଦ୍ୟ କିଡନୀକୁ ନଷ୍ଟ କରି ଦେଇଥାଏ ।
-ମଦ୍ୟପାନ, ହୃଦ୍ରୋଗ, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି. କିଡନୀକୁ ଡ୍ୟାମେଜ୍ କରିବାର ପ୍ରମୁଖ କାରଣ।
କିଡନୀ ରୋଗର ଲକ୍ଷଣ କ’ଣ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କିଡନୀ ସମସ୍ୟା ଏକ ନୀରବ ରୋଗ । ଏହି ରୋଗ ହେଲେ ଧୀରେଧୀରେ ପୀଡ଼ିତଙ୍କ ସମଗ୍ର ଶରୀରରେ ଫୁଲା, ପରିସ୍ରା ଫେଣ ହୋଇଯିବା ଏବଂ ବେଳେବେଳେ ପରିସ୍ରାରେ ରକ୍ତ ପଡିପାରେ । -ଯେତେବେଳେ କିଡନୀ ଦୁର୍ବଳ ହୁଏ, ସେତେବେଳେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ କରେ । ଏହି କାରଣରୁ, ପିଠି ଯନ୍ତ୍ରଣା, ପେଟର ତଳ ଅଂଶରେ ଯନ୍ତ୍ରଣା, ଚର୍ମରେ କୁଂଚନ, ଚର୍ମ ଶୁଷ୍କତା ଭଳି ସମସ୍ୟା ଆରମ୍ଭ ହୁଏ ।
– ଉଚ୍ଚ ରକ୍ତଚାପ କିଡନୀ ସମସ୍ୟାର ଏକ ସାଧାରଣ ଏବଂ ପ୍ରାରମ୍ଭିକ ଲକ୍ଷଣ ।
-ଚର୍ମର ଶୁଷ୍କତା ଏବଂ କୁଂଚନ: ଯଦି କାହାର ଚର୍ମ ଶୁଖିଯାଉଛି ଏବଂ ତାଙ୍କର କ୍ରମାଗତ କୁଂଚନ ସମସ୍ୟା ହେଉଛି, ତେବେ ଏହା କିଡନୀ ସଂକ୍ରମଣର ଲକ୍ଷଣ ହୋଇପାରେ । ଯେତେବେଳେ କିଡନୀ ରକ୍ତରୁ ଖରାପ ପଦାର୍ଥ ଫିଲ୍ଟର୍ କରିବାକୁ ସକ୍ଷମ ହୁଏ ନାହିଁ, ସେତେବେଳେ ଚର୍ମ କୁଂଚନ ଓ ଶୁଷ୍କତା ସମସ୍ୟା ଦେଖାଦିଏ ।
ଭୋକ ନ ଲାଗିବା: କିଡନୀ ରୋଗ ଥିଲେ, ଭୋକ ଲାଗେ ନାହିଁ । ଶରୀରରେ ବର୍ଜ୍ୟବସ୍ତୁ ଜମା ହେତୁ ଭୋକ ଲାଗେ ନାହିଁ । ସକାଳୁ ଉଠିବା ମାତ୍ରେ ବାନ୍ତି ଲାଗେ କିମ୍ବା ବାନ୍ତି ହୁଏ । ଏହି ରୋଗ କାରଣରୁ ଓଜନ ମଧ୍ୟ ହ୍ରାସପାଏ ।
ବାରମ୍ବାର ପରିସ୍ରା ଲାଗିବା: ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୬ରୁ ୧୦ ଥର ପରିସ୍ରା କରନ୍ତି । ଯଦି ଆପଣଙ୍କୁ ଏହାଠାରୁ ଅଧିକ ପରିସ୍ରା କରିବାକୁ ପଡେ, ତେବେ ଏହା କିଡନୀ ରୋଗ ହୋଇପାରେ । କିଡନୀ ରୋଗ ହେତୁ ବାରମ୍ବାର ପରିସ୍ରା ଲାଗିଲା ଭଳି ଅନୁଭବ ହୁଏ । କେତେକ ଲୋକଙ୍କର ମୂତ୍ରରେ ରକ୍ତ ମଧ୍ୟ ପଡେ ।
ପାଦ ଫୁଲିଯିବା : କିଡନୀ ଶରୀରରୁ ଅତିରିକ୍ତ ସୋଡିୟମ୍ ଫିଲ୍ଟର୍ କରେ । ଯଦି ଏହା ସଠିକ୍ ଭାବରେ କାମ କରେନାହିଁ, ତେବେ ଶରୀରରେ ସୋଡିୟମର ପରିମାଣ ବଢିବାକୁ ଲାଗେ । ଏପରି ପରିସ୍ଥିତିରେ ପାଦ ଏବଂ ଗୋଡରେ ଫୁଲା ଦେଖାଯାଏ । ଏହାକୁ ଏଡିମା କୁହାଯାଏ । କିଡନୀ ରୋଗ ହେତୁ ଆଖି ଏବଂ ମୁହଁରେ ମଧ୍ୟ ଫୁଲା ଦେଖାଯାଏ ।
ଦୁର୍ବଳ କିମ୍ବା କ୍ଳାନ୍ତ ଅନୁଭବ କରିବା : ସାମାନ୍ୟ ଶାରୀରିକ ପରିଶ୍ରମରେ ଥକା ଲାଗିବା, ଦୁର୍ବଳ ଅନୁଭବ ହେବା ମଧ୍ୟ କିଡନୀ ରୋଗର ଲକ୍ଷଣ । କିଡନୀ ରୋଗ ବୃଦ୍ଧି ପାଇବା ବେଳେ ଥକାପଣ ଆରମ୍ଭ ହୁଏ । ମୁଣ୍ଡ ବୁଲାଏ ଏବଂ ଦୁର୍ବଳତା ଅନୁଭବ ହୁଏ । ବେଳେବେଳେ ଚାଲିବା ବେଳେ ବି ଥକା ଲାଗେ ।
ନିଦ୍ରାହୀନତା, ଅସ୍ଥିରତା : କିଡନୀ ସଂକ୍ରମଣ କାରଣରୁ ଶୋଇବାରେ ଅସୁବିଧା ହୁଏ ଏବଂ ଅସ୍ଥିରତା ବଢିଯାଏ । ଯଦି ଶୋଇବାରେ ବ୍ୟାଘାତ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।