ହିନ୍ଦୋଳରେ ୮୬ % ଓ ଅତାବିରାରେ ୮୧ % ମତଦାନ, ୫ରେ ଫଳାଫଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶେଷ ହୋଇଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏଏସିରେ ଆଜି ନିର୍ବାଚନ । ଏହି ଦୁଇଟି ଏନଏଏସିର ମୋଟ ୨୮ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ଆସନ୍ତା ୫ତାରିଖରେ ଗଣତି କରାଯିବ । ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଏହି ଦୁଇ ଏନଏସିରେ ଭୋଟଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ଅତାବିରା ଏନଏଏସିରେ ୭୪ପ୍ରତିଶତ ଭୋଟଗ୍ରହଣ ହୋଇଛି । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲ ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେହିପରି  ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଆଜି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୫ତାରିଖ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ ଓ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ସହ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି ବୋଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏପଟେ  ଝାରସୁଗୁଡ଼ା ଉପନିର୍ବାଚନ ବିଗୁଲ ବାଜିସାରିଲାଣି। ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ୨ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେନେଇ ତନାଘନା ସମୀକ୍ଷା ଚଳାଇଛନ୍ତି। ଏହା ଭିତରେ ଉପନିର୍ବାଚନରେ କେଉଁ ଦଳ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ନିକଟରେ ପହଞ୍ଚିବ ଓ ବିଶ୍ବାସଭାଜନ ହେବାକୁ ଚେଷ୍ଟା କରିବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି। ଇତିମଧ୍ୟରେ ବିଜେପି ଓ କଂଗ୍ରେସର ଟିମ୍‌ ମଧ୍ୟ ଝାରସୁଗୁଡ଼ାରେ ପହଞ୍ଚି କର୍ମୀଙ୍କ ସହ ବିଚାରବିମର୍ଶ ଚଳାଇଛନ୍ତି। ତେଣୁ ଚଳିତ ଉପନିର୍ବାଚନ ସମସ୍ୟା ବନାମ ନୂତନ ଝାରସୁଗୁଡ଼ା ନିର୍ମାଣକୁ ନେଇ ହେବ ବୋଲି ମତପ୍ରକାଶ ପାଇଛି। ଝାରସୁଗୁଡ଼ା ଏକ ଶିଳ୍ପାନୁଷ୍ଠାନ ବହୁଳ ଜିଲ୍ଲା। ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲ୍ଲାରେ ଖଣି, ଖାଦାନରୁ ପର୍ଯ୍ୟାପ୍ତ ଆୟ କରୁଛନ୍ତି କମ୍ପାନି ଓ ଟିକସ ନେଉଛନ୍ତି ସରକାର। କିନ୍ତୁ ଶିଳ୍ପଭିତ୍ତିକ ଜିଲ୍ଲାରେ ବିକାଶ ଯେଉଁ ଧାରାରେ ହେବା କଥା ତାହା ବର୍ତ୍ତମାନ ସୁଦ୍ଧା ହୋଇପାରିନି। ଗ୍ରାମାଞ୍ଚଳ ତ ଦୂରର କଥା ସହର ଭିତରେ ପାନୀୟ ଜଳର ସଙ୍କଟରୁ ନେଇ ରାସ୍ତାଘାଟ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ସରକାରୀ ରେକର୍ଡ ଅନୁସାରେ, ବର୍ଷକୁ ପ୍ରାୟ ୩୦ ପ୍ରତିଶତ ହାରରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଛି। ଏତେ ସଂଖ୍ୟକ ଦୁର୍ଘଟଣା ପରେ ଟ୍ରମା କେୟାର ସେଣ୍ଟର ଖୋଲିପାରି ନଥିବା ବେଳେ ଦୁଃସ୍ଥିତିରେ ରହିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ନିରାମୟରେ ସମସ୍ତ ଔଷଧ ମିଳିପାରୁନି। ଝାରସୁଗୁଡ଼ାରେ ମାଳ ମାଳ ଶିଳ୍ପାନୁଷ୍ଠାନ ରହିଥିଲେ ହେଁ, ଆଞ୍ଚଳିକ ନିଯୁକ୍ତିକୁ ପ୍ରୋତ୍ସାହନ ଦିଆଯାଉ ନାହିଁ। ଫଳରେ ସାଧନ ଥାଇ ବି ଅଞ୍ଚଳର ଯୁବଗୋଷ୍ଠୀ ବେକାର ରହୁଥିବାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି।

ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡ ସୀମାନ୍ତକୁ ଜିଲ୍ଲା ଲାଗି ରହିଥିବାରୁ ଅପରାଧିକ କାର୍ଯ୍ୟକଳାପ ବି ବେଶ୍‌ ବଢ଼ିବାରେ ଲାଗିଛି। ନବ ଦାସ ହତ୍ୟା ମାମଲା ପରେ ପରେ ଝାରସୁଗୁଡ଼ା ସହର ଭିତରୁ ନାବାଳକଙ୍କୁ ଅପହରଣ କରି ବୀଭତ୍ସ ହତ୍ୟାକାଣ୍ଡ ଆଇନଶୃଙ୍ଖଳା ସ୍ଥିତିର ପ୍ରକୃତ ଚିତ୍ରକୁ ବୟାନ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ସେହିଭଳି ପ୍ରଦୂଷଣ ସମସ୍ୟା ଜିଲ୍ଲାବାସୀଙ୍କୁ କେବଳ ଦୈନନ୍ଦିନ ଜୀବନରେ ଆକ୍ତାମାକ୍ତା କରିନି, ବରଂ ଏହାର କୁପ୍ରଭାବରେ ଜିଲ୍ଲାରେ ଭୟଙ୍କର ରୋଗବ୍ୟାଧିର ବିସ୍ତାର ହୋଇଚାଲିଛି।ପ୍ରତିଦ୍ବନ୍ଦ୍ବୀ ଦଳ କଂଗ୍ରେସ ଓ ବିଜେପି ଏହିସବୁ ସମସ୍ୟାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେପଟେ ଦିବଂଗତ ନେତା ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡି ଟିକଟ ଦେବା ନେଇ ଘୋଷଣା କରିସାରିଛି। ତେଣୁ ୨୦୧୯ ନିର୍ବାଚନରେ ଯେଉଁ ‘ନୂତନ ଝାରସୁଗୁଡ଼ା ନିର୍ମାଣ ନେଇ ସ୍ବର୍ଗତ ଦାସ ଲୋକଙ୍କ ନିକଟକୁ ଯାଇଥିଲେ, ଦୀପାଳି ବି ସେହି ପ୍ରସଙ୍ଗକୁ ଆୟୁଧ କରିପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.