ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜିକାଲି ଯୁଗରେ ମୋବାଇଲ ଫୋନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସକାଳଠୁ ରାତି ଯାଏ ମୋବାଇଲ ଫୋନ ଦ୍ୱାରା ଲୋକେ ୯୦% କାମ କରିଥାନ୍ତି । ମୋବାଇଲ୍ ଫୋନ୍ ଏବେ, କେବଳ କଥାବାର୍ତ୍ତାର ମାଧ୍ୟମରେ ସୀମିତ ନାହିଁ । ଯୋଗାଯୋଗର ପରିଧିରୁ ବାହାରି, ଏହା ଏବେ ବିଭିନ୍ନ ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସେବା ପ୍ରଦାନର ପାଲଟିଛି ମାଧ୍ୟମ । ମୋବାଇଲ୍ ଫୋନକୁ ପୂରିଛି ୫୦ ବର୍ଷ । ୧୯୭୩ ଏପ୍ରିଲ ୩ ତାରିଖରେ ଉଦ୍ଭାବନ ହୋଇଥିଲା ମୋବାଇଲ୍ ଫୋନ୍ । ମୋଟୋରୋଲା କମ୍ପାନିର ସେତେବେଳର କର୍ମଚାରୀ ମାର୍ଟିନ୍ କୁପର୍ ହିଁ ମୋବାଇଲ୍ ଫୋନ୍ ଉଦ୍ଭାବନ କରିଥିଲେ । ପ୍ରଥମ କଲ୍ କରିଥିଲେ ତାଙ୍କ ବନ୍ଧୁ ତଥା ପ୍ରତିଦ୍ୱନ୍ଦି କମ୍ପାନି- ବେଲ୍ ଲାବୋରେଟୋରିଜର ଜୋଏଲ୍ ଏଞ୍ଜେଲଙ୍କ ପାଖକୁ ।
ନ୍ୟୁୟର୍କ ସହରର ୫୩ ଓ ୫୪ ନମ୍ବର ଗଳିରେ ଚାଲୁଥିବା ବେଳେ ଜୋଏଲ୍ ଏଞ୍ଜେଲଙ୍କୁ ଏହି ଐତିହାସିକ ଫୋନ୍ କଲ୍ କରିଥିଲେ ମାର୍ଟିନ୍ କୁପର୍ । ଜୋଏଲଙ୍କୁ ସେ କଣ କହିଥିଲେ ଜାଣନ୍ତି… ‘ଜୋଏଲ୍, ମୁଁ ମାର୍ଟି କହୁଛି । ମୁଁ, ତୁମକୁ ସେଲ୍ ଫୋନ୍ରୁ କଲ୍ କରିଛି । ଏହା ପ୍ରକୃତରେ ଏକ ପୋର୍ଟବୁଲ୍ ସେଲ୍ ଫୋନ୍’ । ମାର୍ଟିନ୍ କୁପରଙ୍କ ଏହି ଫୋନ୍ କଲ୍ରେ ସ୍ତବ୍ଧ ହୋଇ ଯାଇଥିଲେ ଜୋଏଲ୍ । ପୋର୍ଟବୁଲ୍ ସେଲ୍ ଫୋନ୍ ନିର୍ମାଣ ପାଇଁ ମୋଟୋରୋଲା କମ୍ପାନି ଏକ ପ୍ରକଳ୍ପ ହାତକୁ ନେଇଥିଲା । ଯାହାର ନାଁ ଥିଲା, ଯାହାର ମୁଖ୍ୟ ଥିଲେ ମାର୍ଟିନ୍ କୁପର୍ । ବର୍ତ୍ତମାନର ମୋବାଇଲ୍ ଫୋନ୍ର ଲୁକ୍ ଏବଂ ସାଇଜ୍ ଠାରୁ ଭିନ୍ନ ଥିଲା ସେତେବେଳର ମୋବାଇଲ୍ ଫୋନ୍ ।
ଆକାରରେ ବହୁତ ବଡ଼ ଏବଂ ଓଜନିଆ ଥିଲା । ମାତ୍ର ୨୫ ମିନିଟ୍ କଥାବାର୍ତ୍ତା କରିବାକୁ ୧୦ ଘଣ୍ଟା ରିଚାର୍ଜ କରିବାକୁ ପଡୁଥିଲା । ତେବେ ୧୦ ବର୍ଷ ପରେ ଏହା ମାର୍କେଟକୁ ଆସିଥିଲା । ଆମେରିକାରେ ହିଁ ପ୍ରଥମେ ଉପଲବ୍ଧ ହୋଇଥିଲା ମୋବାଇଲ୍ ଫୋନ୍ । ୫୦ ବର୍ଷ ପୂର୍ବ ମାନବ ଜଗତକୁ ଏହି ଅମୂଲ୍ୟ ଉପହାର ଦେଇଥିବା ମାର୍ଟିନ୍ କୁପର୍ କିନ୍ତୁ ଏବେ ମୋଟୋରୋଲା ନୁହେଁ ବରଂ ଟପ୍-ଏଣ୍ଡ ଆଇ-ଫୋନ୍ ବ୍ୟବହାର କରୁଛନ୍ତି ।