ଭାରତ ପାଇଁ ତୈଳ ଦର ବଡ଼ ବିପଦ ନେଇ ଆଇଏମ୍‌ଏଫ୍‌ର ସତର୍କବାଣୀ

0

ଓଡ଼ିଆ ନ୍ୟୁଜ୍: ଭାରତ ପାଇଁ ତୈଳ ଦର ବଡ଼ ବିପଦ ନେଇ ଆଇଏମ୍‌ଏଫ୍‌ର ସତର୍କବାଣୀ। ଭାରତର ଜିଡିପି ଅଭିବୃଦ୍ଧି ଆଗରେ ବର୍ତ୍ତମାନ ବଡ଼ ବିପତ୍ତି ହେଉଛି ବର୍ଦ୍ଧିତ ତୈଳ ଦର ଏବଂ ଦୁର୍ବଳ ମୌସୁମୀ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହା ପ୍ରକାଶ କରିଛି । ଆଇଏମ୍ଏଫ୍ ର ଜଣେ ଅଧିକାରୀ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୬-୨୭ରେ ଭାରତର ଜିଡିପି ଅଭିବୃଦ୍ଧି ପାଇଁ ମଧ୍ୟପ୍ରାଚ୍ୟରେ ବଢୁଥିବା ଅଶାନ୍ତି ଏବଂ ଏଲ୍ନିନୋ ପ୍ରଭାବରେ ଦୁର୍ବଳ ମୌସୁମୀ ଦୁଇଟି ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି । ଯୁଦ୍ଧ ଯୋଗୁ ତେଲ ଦର ବଢ଼ିଚାଲିଛି । ଏହା ଭାରତ ଭଳି ଆମଦାନିକାରୀ ରାଷ୍ଟ୍ର ପାଇଁ ଚିନ୍ତାର ବିଷୟ । ତୈଳ ଆମଦାନି ଉପରେ ଭାରତର ନିର୍ଭରତା ଅର୍ଥବ୍ୟବସ୍ଥା ପାଇଁ ବଡ଼ ଆହ୍ୱାନ ସାଜିଛି ।  ଭାରତ ଏସିଆର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ।

ଏହା ନିଜର ଆବଶ୍ୟକତାର ୮୦% ରୁ ଅଧିକ ତେଲ ଆମଦାନି ଜରିଆରେ ପୂରଣ କରିଥାଏ । ତେଣୁ କୌଣସି ପ୍ରକାର ଶକ୍ତି ସଂକଟର ଝଟ୍କା ଭାରତ ପ୍ରଥମେ ଅନୁଭବ କରିଥାଏ । ଭୁ-ରାଜନୈତିକ ଅସ୍ଥିରତା ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ ଏବଂ ଏହାସହିତ ଦେଶରେ ଦରଦାମ ସମସ୍ୟା ଉତ୍କଟ ହୋଇପାରେ ବୋଲି ଆଇଏମ୍ଏଫ୍ ପ୍ରକାଶ କରିଛି । ଆଇଏମ୍ଏଫ୍ ଚଳିତ ମାସ ୨୦୨୬-୨୭ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ୧୦ ବେସିସ୍ ପଏଣ୍ଟ ଖସାଇ ୬.୪% କରିଦେଇଛି ।

ସେହିଭଳି ୨୦୨୭-୨୮ ପାଇଁ ଅନୁମାନକୁ ୨୦ ବେସିସ୍ ପଏଣ୍ଟ ବଢ଼ାଇ ୬.୭% କରିଛି । ଭାରତ ଏବଂ ଭୁଟାନ ପାଇଁ ଆଇଏମ୍ଏଫ୍ର ବରିଷ୍ଠ ରେସିଡେଣ୍ଟ ପ୍ରତିନିଧି ରାନିଲ ସାଲ୍ଗାଡୋ ସୋମବାର ରୟଟର୍ସକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଲେ, ଭାରତ ପାଇଁ ଦୁଇଟି ପ୍ରମୁଖ ରିସ୍କ ରହିଛି । ଯୁଦ୍ଧ ବଢ଼ିବା ସହ ତୈଳ ଦର ବୃଦ୍ଧି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ବିପଦ ।

Leave A Reply

Your email address will not be published.