ଜାମିଆତ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ, ସମଲିଙ୍ଗୀ ବିବାହ କୋରାନ ବିରୋଧି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମଲିଙ୍ଗୀ ବିବାହ କୋରାନ ବିରୋଧି। ସମଲିଙ୍ଗୀ ବିବାହର ବୈଧୀକରଣ ନେଇ ଆଗତ ପିଟିସନ ବିରୋଧରେ ଜାମିଆତ ଉଲାମା-ଇ-ହିନ୍ଦ୍ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହା ସହ ଏ ପ୍ରଥାକୁ ବିରୋଧ କରି ଜାମିଆତ ଉଲାମା-ଇ-ହିନ୍ଦ୍ ନିଜର ଯୁକ୍ତି ଉପସ୍ଥାପନ କରିଛି । ଏ ପ୍ରକାର ବିବାହ କୋରାନ-ବିରୋଧୀ, ଧର୍ମବିରୋଧୀ ଓ ସମାଜବିରୋଧୀ ବୋଲି ମତ ପ୍ରକାଶ କରି ଜାମିଆତ ଏ ବାବଦରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛି । ତେଣୁ ଏ ପ୍ରକାର ସମାଜବିରୋଧୀ ପାଶ୍ଚାତ୍ୟ ପରମ୍ପରାକୁ ଆଇନଗତ ଅନୁମୋଦନ ପ୍ରଦାନ ନ କରିବାକୁ ଜାମିଆତ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛି । ସୁପ୍ରିମ୍‌କୋର୍ଟ ମାର୍ଚ୍ଚ ୧୩ ତାରିଖରେ କହିଥିଲେ ଯେ, ସମଲିଙ୍ଗୀ ବିବାହର ବୈଧୀକରଣ ପାଇଁ କରାଯାଇଥିବା ଆବେଦନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହାର ସାମ୍ବିଧାନିକ ବୈଧତା ଯାଞ୍ଚ ପାଇଁ ଏକ ପାଞ୍ଚଜଣିଆ ସମ୍ବିଧାନ ପୀଠରେ ଶୁଣାଣି ହେବ । ଜାମିଆତ ନିଜ ଓକିଲ ଏମ୍‌ଆର୍‌ ଶମଶଦଙ୍କ ମାଧ୍ୟମରେ ଦର୍ଶାଇଛି, ଇସଲାମ ଧର୍ମ ସୃଷ୍ଟି ହେବା ଦିନଠାରୁ ଏହି ଧର୍ମରେ ସମଲିଙ୍ଗୀ ବିବାହ ନିଷିଦ୍ଧ । ଇସଲାମର ମୂଳ ଧର୍ମଗ୍ରନ୍ଥ ପବିତ୍ର କୋରାନଠାରୁ ଆରମ୍ଭ କରି ରସୁଲ ମହମ୍ମଦଙ୍କ ଶିକ୍ଷାସମ୍ବଳିତ ଗ୍ରନ୍ଥ ହଦିସଗୁଡ଼ିକରେ ସମଲିଙ୍ଗୀ ସମ୍ପର୍କକୁ ବାରଣ କରାଯାଇଛି। ଲିଙ୍ଗ ଅନୁଯାୟୀ ଜଣକର କର୍ତ୍ତବ୍ୟ, ବ୍ୟବହାର, ପୋଷାକପରିଚ୍ଛଦ ଭିନ୍ନ ହୋଇଥାଏ । ଏପରିକି ଯେଉଁ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପିନ୍ଧି ସେମାନଙ୍କ ପରି ହେବାକୁ ଏବଂ ଯେଉଁ ନାରୀମାନେ ପୁରୁଷଙ୍କ ପରି ପୋଷାକ ପିନ୍ଧି ସେମାନଙ୍କ ପରି ହେବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ମହମ୍ମଦ ଭର୍ତ୍ସନା କରିଛନ୍ତି ।

ଜାମିଆତ କହିଛି, ଏଲ୍‌ଜିବିଟିକ୍ୟୁଆଇଏ+ ଆନ୍ଦୋଳନ ପ୍ରଥମେ ଏଲ୍‌ଜିବିଟିରୁ ଆରମ୍ଭ ହେଲା, ତା’ପରେ ସେଥିରେ କ୍ୟୁ ଯୋଡ଼ିହୋଇ ହେଲା ଏଲ୍‌ଜିବିଟିକ୍ୟୁ । ତା’ପରେ ହେଲା ଏଲ୍‌ଜିବିଟିକ୍ୟୁ+ ଏବଂ ଶେଷରେ ଏଲ୍‌ଜିବିଟିକ୍ୟୁଆଇଏ+ ହୋଇଛି । ଏ ପ୍ରକାର ଆନ୍ଦୋଳନର ପୃଷ୍ଠଭୂମି ଦିନକୁ ଦିନ ସମ୍ପ୍ରସାରିତ ହେବାରେ ଲାଗିଛି ଏବଂ ଏମାନେ କୌଣସି ଧାର୍ମିକ ମୂଲ୍ୟବୋଧକୁ ସ୍ବୀକାର କରନ୍ତି ନାହିଁ। ପାଶ୍ଚାତ୍ୟ ଦେଶରେ ମୁକ୍ତ ଓ ଅବାଧ ଯୌନ ଆଚରଣରୁ ଏସବୁର ସୃଷ୍ଟି। ଏ ପ୍ରକାର ‌ଯୌନ ସ୍ବେଚ୍ଛାଚାରିତା ସୁସ୍ଥ ସମାଜ ଗଠନରେ ମୁଖ୍ୟ ପ୍ରତିବନ୍ଧକ । ଯୌନ ସ୍ବେଚ୍ଛାଚାରୀମାନେ କୌଣସି ଧର୍ମ ବା ଈଶ୍ବର ମାନନ୍ତି ନାହିଁ । ଧର୍ମ ଦ୍ବାରା ପରିଚାଳିତ କୌଣସି ସମାଜରେ ଏହା ଗ୍ରହଣୀୟ ନୁହେଁ । ସେଥିପାଇଁ ମୁସଲିମ ପର୍ସନାଲ ଲ’ରେ ସମଲିଙ୍ଗୀ ବିବାହର କୌଣସି ସ୍ଥାନ ନାହିଁ। ଜାମିଆତର କହିବା ଅନୁସାରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ପର୍ସନାଲ ଲ’କୁ ସାମ୍ବିଧାନିକ ସୁରକ୍ଷା ମିଳିଛି । ସମଲିଙ୍ଗୀ ବିବାହର ବୈଧୀକରଣ ପାଇଁ ଯେଉଁ ଆବେଦନ କରାଯାଇଛି ତାହା ବିବାହ ସମ୍ପର୍କରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟରେ ଯେଉଁ ବୋଧ ବା ଅବଧାରଣା ରହିଛି, ତାହାର ବିରୋଧାଚରଣ କରୁଛି । ବିବାହ କହିଲେ ଜଣେ ଜୈବିକ ପୁରୁଷ ଓ ଜଣେ ଜୈବିକ ନାରୀଙ୍କ ମିଳନକୁ ବୁଝାଏ ଏବଂ ଏପରି ବିବାହରୁ ସନ୍ତାନସନ୍ତତି ଜନ୍ମ ହୁଅନ୍ତି ଓ ପରିବାର ଗଠନ ହୁଏ, ଯାହା ସମଲିଙ୍ଗୀ ବିବାହରେ ସମ୍ଭବ ନୁହେଁ ।

Leave A Reply

Your email address will not be published.