ବାପଘରକୁ ଆସିଛନ୍ତି ମା’ ବୁଢ଼ୀ ଠାକୁରାଣୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ମଧ୍ୟରାତ୍ରରେ ବାପଘରକୁ ଆସିଛନ୍ତି ବୁଢ଼ୀ ଠାକୁରାଣୀ । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଠାକୁରାଣୀ ବାପଘରକୁ ବୁଲି ଆସିବାର ପରମ୍ପରା ରହିଛି । ସତନ୍ତ୍ର ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମନ୍ଦିରରେ ମାଆଙ୍କୁ ସ୍ଥାପନ କରାଯାଇ ବିଦ୍ଧିବଦ୍ଧ ଭାବେ ମା ସାଆଁନ୍ତାଣୀଙ୍କ ପ୍ରସିଦ୍ଧ ଦୁଇବାର୍ଷିକ ଯାତ୍ରା ଆରମ୍ଭ ହୋଇଛି । ମା’ଙ୍କ ବାପାଘର କୁହାଯାଉଥିବା ଦେଶିବେହେରାଙ୍କ ସାହିରେ ମାଆଙ୍କ ଆଗମନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ଚଣ୍ଡିପାଠ, ଦିଗବନ୍ଧନ ଆଦି ସ୍ବତନ୍ତ୍ର ପରମ୍ପରାରେ ପୂଜାର୍ଚ୍ଚନା ଚାଲିଛି । ବିଳମ୍ବିତ ରାତିରେ ଦେଶିବେହେରାଙ୍କ ପତ୍ନୀ ଚାଙ୍ଗୁଡିରେ ଇଟିମାଳ ଫୁଲ ନେଇ ଏକ ବିରାଟ ପଟୁଆରରେ ମାଙ୍କୁ ନିମନ୍ତ୍ରଣ କରିବାକୁ ବାହାରି ଥିଲେ । ଶଙ୍ଖ, ଚାଙ୍ଗୁ ବାଦ୍ଯ, ଢୋଲ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ଏହି ପଟୁଆରରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ମଧ୍ୟ ହୋଇଥିଲେ । ଚଣ୍ଡିପାଠ , ଦିଗବନ୍ଦନ , ଆଳତି , ମନ୍ତ୍ରଣା ପରେ ଦେଶିବେହେରାଙ୍କ ପତ୍ନୀ ନେଇଥିବା ଇଟିମାଳ ଫୁଲ ମାଳ ମାଆଙ୍କୁ ଅର୍ପଣ କରାଯାଇଥିଲା । କିଛି ସମୟ ପରେ ଦେଶିବେହେରାଙ୍କ ହସ୍ତରେ ସେହି ଆଜ୍ଞାମାଳ ପଡିବା ପରେ ମା’ ବାପଘରକୁ ଯିବାକୁ ଅନୁମତି ଦେଇଥିବା ନିଶ୍ଚିତ ହୋଇଥିଲା । ଯେଉଁବାଟ ଦେଇ ମାଆ ଦେଶିବେହେରା ସାହିକୁ ଆସିବେ ସେହି ରାସ୍ତାକୁ ଗୋବର ପାଣିରେ ଲିପା ପୋଛା କରିବା ସହ ଝୋଟି ପକାଇ ମାଆଙ୍କୁ ସ୍ବାଗତ କରିଥିଲେ ।

କହିରଖେ କି, ମହୁରୀ ରାଜ୍ୟ କେରାଣ୍ଡିମାଳ ପର୍ବତଠାରୁ ଆଧୁନିକ ବ୍ରହ୍ମପୁରକୁ ଲାଗିଥିବା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ରାଜା ପ୍ରତିଦିନ ଅଷ୍ଟଶମ୍ଭୁଙ୍କୁ ପୂଜା କରୁଥିଲେ । ରାଜାଙ୍କର ଇଷ୍ଟଦେବୀ ମା’କାଳୁଆଙ୍କ ପ୍ରଦତ୍ତ ଖଣ୍ଡା ଧରି ସେ ଅଷ୍ଟଶମ୍ଭୁଙ୍କୁ ପ୍ରାତ୍ୟହିକ ଦର୍ଶନ କରିସାରିବା ପରେ ମା’ଙ୍କୁ ଦର୍ଶନ କରି ବ୍ରହ୍ମପୁରର ରାଜାସାହିସ୍ଥ ଉଆସରେ ପହଞ୍ଚି ରାଜକାର୍ଯ୍ୟ ପରିଚାଳନା କରୁଥିଲେ । କିମ୍ବଦନ୍ତୀ ଅନୁସାରେ ରାଜାଙ୍କୁ ପ୍ରତିଦିନ ୨୦ରୁ ୨୫କିଲୋମିଟର ଘୋଡାରେ ଦୌଡ଼ିବାକୁ ପଡୁଥିଲା । ରାଜା ବ୍ୟବସାୟ ସହିତ ପ୍ରଶାସନ ସଂପର୍କୀୟ କାର୍ଯ୍ୟରେ ତାଙ୍କର ଦାକ୍ଷିଣାତ୍ୟ ସହିତ ଉତ୍ତମ ସଂପର୍କ ଥିଲା । ରାଜାଙ୍କ ଶାସନ ପୂର୍ବରୁ ହିଁ ବ୍ରହ୍ମପୁର ଠାକୁରାଣୀ ଗ୍ରାମଦେବତୀ ରୂପେ ବ୍ରହ୍ମପୁରରେ ପୂଜା ପାଇଆସୁଥିଲେ । ମା’ ବୁଢ଼ୀ ଠାକୁରାଣୀ ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଥିଲେ । ରାଜାଙ୍କ ଦାକ୍ଷିଣାତ୍ୟ ସଂପର୍କ ଯୋଗୁଁ ବର୍ତ୍ତମାନ ପ୍ରଚଳିତ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆରମ୍ଭ ବୋଲି କୁହାଯାଏ । ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ସମୟରେ ରାଜା ଦାକ୍ଷିଣାତ୍ୟ ଯାଇ, ରାଜ ମହେନ୍ଦ୍ରୀ ରାଜାଙ୍କ ଆତିଥେୟତା ଗ୍ରହଣ କରି ପାଟପଗଡ଼ି ଗ୍ରହଣ କରୁଥିଲେ ।

ରାଜ ମହେନ୍ଦ୍ରୀ ରାଜା ମହୁରୀ ରାଜାଙ୍କୁ ଉଭୟ ରାଜ୍ୟ ମଧ୍ୟରେ ଥିବା ସଂପର୍କକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ପାଟପଗଡ଼ି ଓ ଉତ୍ତରୀୟ ଉପଢୌକନ ହିସାବରେ ଦେଇଥିଲେ । ସେତେବେଳେ ସମୟ ଥିଲା ଚୈତ୍ର- ବୈଶାଖର ସମୟ । ସେଠାରେ ମା’ଙ୍କର ଘଟଯାତ୍ରା ଚାଲିଥିଲା । ଶହ ଶହ ମହିଳାଙ୍କୁ ଏହି ଘଟଯାତ୍ରାରେ ଯୋଗଦେବାର ଦେଖି ମହୁରୀ ରାଜା ଜିଜ୍ଞାସା କରନ୍ତେ ଏହି ଯାତ୍ରା ସେହି ପାଟପଗଡ଼ି ବୁଣାକାରମାନଙ୍କ ସଂପ୍ରଦାୟ ବା ଦେବାଙ୍ଗ ସଂପ୍ରଦାୟର ଲୋକଙ୍କଦ୍ୱାରା ଅନୁଷ୍ଠିତ ହେଉଛି ବୋଲି ରାଜମହେନ୍ଦ୍ରୀ ରାଜା କହିଥିଲେ । ମହୁରୀ ରାଜା ତାଙ୍କୁ ତାଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କର ବ୍ରହ୍ମପୁର ଫେରିବା ସମୟରେ ଏହି ଦେବାଙ୍ଗ ସଂପ୍ରଦାୟର କିଛି ଲୋକଙ୍କୁ ତାଙ୍କ ସହିତ ପଠାଇବା ପାଇଁ । ଦେବାଙ୍ଗ ସଂପ୍ରଦାୟର ଲୋକେ ବ୍ରହ୍ମପୁର ଆସିଲେ ଏବଂ ସେମାନଙ୍କ ଉଦ୍ୟମରେ ବ୍ରହ୍ମପୁରୀ ପାଟବୁଣା ଓ ବ୍ରହ୍ମପୁରର ପ୍ରସିଦ୍ଧ ଘଟଯାତ୍ରା ପରମ୍ପରା ଆରମ୍ଭ ହେଲା । ଆଉ ଏହିଯାତ୍ରାର ମୁଖ୍ୟ ହେଲେ ଦେବାଙ୍ଗ ( ବା ଓଡ଼ିଶାରେ କୁହାଯାଉଥିବା ଡେରା ସଂପ୍ରଦାୟ ) ସଂପ୍ରଦାୟର ମୁଖ୍ୟ ତଥା ଅଠର ଖଣ୍ଡ ପାଟର ସେନାପତି ‘ଦେଶୀବେହେରା’ ।

Leave A Reply

Your email address will not be published.