ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଜାଣନ୍ତୁ କାହିଁକି…

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲଣ୍ଡରିଙ୍ଗ୍‌’ ମାମଲାରେ ‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନ୍‌ ଦୀର୍ଘଦିନ ଧରି ଜେଲରେ ଅଛନ୍ତି। ତେବେ ତାଙ୍କ ଓକିଲ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି କହି ଆଜି ଦିଲ୍ଲୀ ହାଇକୋର୍ଟ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ୨୦୨୨ ମେ’ରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହୋଇଥିଲେ। ନଭେମ୍ବର ମାସରେ ବି ସେ ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ଟ୍ରାଏଲ୍‌ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ସତ୍ୟେନ୍ଦ୍ରଙ୍କ ସହିତ ଏହି ମାମଲାରେ ଆଉ ଦୁଇଜଣଙ୍କ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନ୍‌ଙ୍କ ଜାମିନ ଆବେଦନ ମଧ୍ୟ ଅଦାଲତ ଖାରଜ କରି ଦେଇଛନ୍ତି। ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ ଜାମିନ ପାଇଁ ଥିବା ଦୁଇଟି ସର୍ତ୍ତ ଏହି ୩ ଆବେଦନକାରୀ ରକ୍ଷା କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଦିନେଶ କୁମାର ଶର୍ମା କହିଛନ୍ତି ଯେ, ଜୈନ୍‌ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ସେ ଯେ, ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ରେ ଜାମିନ ପାଇଁ ଥିବା ଯୁଗ୍ମ ସର୍ତ୍ତାବଳିରେ ସନ୍ତୁଷ୍ଟ ହୋଇଯିବେ ତାହା କୁହାଯାଇ ପାରିବ ନାହିଁ। ସେ ପ୍ରମାଣ ଜାଲିଆତି ବା ନଷ୍ଟ କରି ପାରନ୍ତି। ଦିଲ୍ଲୀ ହାଇକୋର୍ଟ ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି, ସିଧା କଥା ହେଲା ‘ସିବିଆଇ’ ହିସାବ ବହିର୍ଭୂତ ସମ୍ପତ୍ତି ମାମାଲା ଦାଏର କରିଛି। ସାମ୍ପ୍ରତିକ ଅଦାଲତ ଏହି ମାମଲାରେ ବୈଧ୍ୟତା ଯାଞ୍ଚ କରିପାରିବେ ନାହିଁ। ଅଦାଲତ କେବଳ ଏହି ମାମଲାର ସତ୍ୟତାକୁ ହିଁ ଦେଖିବ।

ସୂଚନାଯୋଗ୍ୟ, କିଛିମାସ ତଳେ ଜେଲ୍ ଭିତରେ ଥାଇ ମଧ୍ୟ ବିଳାସପୂର୍ଣ୍ଣ ଜୀବନ ବି୍ତାଉଥିବା ଅଭିଯୋଗ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜେଲ୍ ଭିତରେ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ମସାଜ କରାଇବା ସହ  ଘର ଖାଦ୍ୟ ଖାଉଛନ୍ତି। ପ୍ରତିଦିନ ତାଙ୍କ ସ୍ତ୍ରୀ ତାଙ୍କୁ ଭେଟିବାକୁ ଆସୁଛନ୍ତି। ଏଭଳି କିଛି ଅଭିଯୋଗ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତିହାର ଜେଲରେ ସତ୍ୟେନ୍ଦ୍ର  ଜୈନଙ୍କ ବିଳାସପୂର୍ଣ୍ଣତାର ସିସିଟିଭି ଫୁଟେଜକୁ କୋର୍ଟରେ ଇଡି ହସ୍ତାନ୍ତର କରିଥିଲା। ଅଭିଯୋଗରେ ଇଡି କହିଥିଲା ଯେ, ତିହାର ଜେଲରେ ଥାଇ ମଧ୍ୟ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ହେଡ ମସାଜ, ଫୁଟ ମସାଜ ଏବଂ ବ୍ୟାକ ମସାଜ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଫୁଟେଜ ଅନୁଯାୟୀ ଜେଲ ଅଧୀକ୍ଷକ ପ୍ରତିଦିନ ସତ୍ୟେନ୍ଦ୍ର ଜୈନଙ୍କୁ ନିୟମ ବିରୁଦ୍ଧରେ ଯାଇ ଭେଟୁଛନ୍ତି। ଏଥିସହ ମନ୍ତ୍ରୀ ମହୋଦୟଙ୍କୁ ଯେପରି ଜେଲ୍ ଭିତରେ କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଇଡି ଆହୁରି କହିଥିଲା କି, କୋର୍ଟର ଆଦେଶକୁ ଅବମାନନା କରି ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଜେଲରେ ଘରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜେଲ୍ ମାନୁଆଲ୍‌ର ବିରୋଧରେ ଯାଇ ତାଙ୍କ ପତ୍ନୀ ପୁନମ୍ ଜୈନ୍ ପ୍ରତିଦିନ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସେଲ୍‌କୁ ଆସୁଛନ୍ତି। ସିସିଟିଭି ଫୁଟେଜ ମୁତାବକ, ମାମଲାର ଅନ୍ୟ ଅଭିଯୁକ୍ତ ଥିବା ଉକ୍ତ ଜେଲ୍‌ରେ ବନ୍ଦୀ ଥିବା ଅଙ୍କୁଶ ଜୈନ ଓ ବୈଭବ ଜୈନ୍‌ଙ୍କ ସହ ସତ୍ୟେନ୍ଦ୍ର ଜୈନ ପ୍ରାୟତଃ ନିଜ ସେଲ୍ ଭିତରେ ଘଣ୍ଟା ଘଣ୍ଟା ଧରି ମିଟିଂ କରୁଛନ୍ତି। ଯାହା ମାମଲାର ତଦନ୍ତ ପାଇଁ ଠିକ୍ ନୁହେଁ ବୋଲି ଇଡି କୋର୍ଟରେ କହିଥିଲା। ତେବେ ତିହାର ଜେଲ୍ ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।

Leave A Reply

Your email address will not be published.