କର୍ଣ୍ଣାଟକରେ କଂଗ୍ରେସର ନିର୍ବାଚନୀ ପ୍ରତିଶୃତି ‘କ୍ଷମତାକୁ ଫେରିଲେ ପୁଣି ମୁସଲିମ ସଂରକ୍ଷଣ ଲାଗୁ କରିବୁ’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଖେଇ ଆସୁଛି କର୍ଣ୍ଣାଟକ ସାଧାରଣ ନିର୍ବାଚନ। ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିନ୍ନ ଭିନ୍ନ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି। ଏହାରି ମଧ୍ୟରେ କ୍ଷମତା ଦଖଲ କରିବାକୁ କଂଗ୍ରେସ ମଧ୍ୟ ପ୍ରତିଶୃତି ଦେଇଛି। କର୍ଣ୍ଣାଟକରେ କଂଗ୍ରେସ ନିର୍ବାଚନୀ ପ୍ରତିଶୃତିରେ କହିଛି ‘କ୍ଷମତାକୁ ଫେରିଲେ ପୁଣି ମୁସଲିମ ସଂରକ୍ଷଣ ଲାଗୁ କରିବୁ’। ଗୋଟେପଟେ ବିଜେପି ସରକାର ମୁସଲିମ ସଂରକ୍ଷଣକୁ ଉଚ୍ଛେଦ କରିଥିବାବେଳେ କ୍ଷମତାକୁ ଫେରିଲେ ପୁଣି ସଂରକ୍ଷଣ ଲାଗୁ କରିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଶୁକ୍ରବାର କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଫେରିଲେ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଉଚ୍ଛେଦ କରିବାକୁ ଶାସକ ବିଜେପି ନେଇଥିବା ନିଷ୍ପତ୍ତିକୁ ସେ ପ୍ରତ୍ୟାହାର କରିବେ।

କର୍ଣ୍ଣାଟକର ବିଜେପି ସରକାର ଗତ ମାର୍ଚ୍ଚ ମାସରେ ସଂଖ୍ୟାଲଘୁଙ୍କ ପାଇଁ ଥିବା ୪ ପ୍ରତିଶତ ସଂରକ୍ଷଣକୁ ଉଚ୍ଛେଦ କରି ରାଜ୍ୟର ଦୁଇ ପ୍ରମୁଖ ସମ୍ପ୍ରଦାୟର ବର୍ତ୍ତମାନର କୋଟାରେ ଯୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ । କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଓବିସି ବର୍ଗର ୨ବି ବର୍ଗୀକରଣ ଅଧୀନରେ ମୁସଲମାନମାନଙ୍କୁ ଦିଆଯାଇଥିବା ୪ ପ୍ରତିଶତ ସଂରକ୍ଷଣକୁ ଏବେ ଦୁଇଟି ସମାନ ଭାଗରେ ବିଭକ୍ତ କରାଯିବ ଏବଂ ଭୋକାଲିଗା ଏବଂ ଲିଙ୍ଗାୟତଙ୍କ ବର୍ତ୍ତମାନର କୋଟାରେ ଯୋଡ଼ାଯିବ, ଯେଉଁମାନଙ୍କ ପାଇଁ ଗତ ବର୍ଷ ବେଲଗାଭି ବିଧାନସଭା ଅଧିବେଶନ ସମୟରେ ୨ସି ଏବଂ ୨ଡିର ଦୁଇଟି ନୂତନ ସଂରକ୍ଷଣ ଶ୍ରେଣୀ ସୃଷ୍ଟି କରାଯାଇଥିଲା । ଶିବକୁମାର କହିଛନ୍ତି ଯେ, ବିନା କୌଣସି ଅସୁବିଧାରେ ଆମେ ଆମର ଦୁଇଟି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛୁ । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ନିଜର ତାଲିକା ପ୍ରକାଶ କରିନାହିଁ । ଆମ ସରକାର ଆସିବା ମାତ୍ରେ ଆମେ ସଂରକ୍ଷଣ ପ୍ରସଙ୍ଗକୁ ଉଚ୍ଛେଦ କରିବୁ ଏବଂ ସଂଖ୍ୟାଲଘୁଙ୍କ ସ୍ୱାର୍ଥ ରକ୍ଷା କରିବୁ ।

ସେପଟେ ବିଧାନସଭା ନିର୍ବାଚନ ପୂର୍ବରୁ  ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି (ଆପ୍‌) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି। ‘ଆପ୍‌’ ରାଜ୍ୟ ଯୋଗାଯୋଗ ପ୍ରଭାରୀ ବ୍ରିଜେଶ କଲାପ୍ପା ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଚିହ୍ନ ଆଦେଶ ଅନୁଯାୟୀ ଦଳ ଏକ ଜାତୀୟ ଦଳ ହେବା ପାଇଁ ଯୋଗ୍ୟ। ‘ଏହାକୁ ନେଇ ଆମେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛୁ, ଯାହାର ଆଜି ଶୁଣାଣି ହେବ’। ବ୍ରିଜେଶ କଲାପ୍ପା କହିଛନ୍ତି ଯେ ଆମେ ଏକ ଜାତୀୟ ଦଳର ମାନ୍ୟତା ପାଇବୁ ବୋଲି ବିଶ୍ୱାସ ରଖିଛୁ। ନିର୍ବାଚନ ଚିହ୍ନ (ସଂରକ୍ଷଣ ଓ ଆବଣ୍ଟନ) ଆଦେଶ, ୧୯୬୮ର ଧାରା ୬ବି ଅନୁଯାୟୀ, ଯେଉଁ ରାଜନୈତିକ ଦଳର ୪ରୁ ଅଧିକ ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ୍‌ ରହିଛି ସେମାନଙ୍କୁ ଜାତୀୟ ଦଳ ଭାବେ ଘୋଷଣା କରାଯିବା ଉଚିତ ବୋଲି ଆପ୍‌ ନେତା ଦର୍ଶାଇଛନ୍ତି। ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ପାଖାପାଖି ୧୪ ପ୍ରତିଶତ ଭୋଟ ପାଇ ଆପ୍‌ ଗତବର୍ଷ ଜାତୀୟ ଦଳର ମାନ୍ୟତା ପାଇବାକୁ ଯୋଗ୍ୟ ହୋଇଥିଲା। ଭାରତୀୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ଜାତୀୟ ସ୍ତରର ରାଜନୈତିକ ଦଳ ଭାବେ ଆପ୍‌ର ମାନ୍ୟତାକୁ ସମୀକ୍ଷା କରୁଛନ୍ତି ବୋଲି କହିବାର କିଛି ସପ୍ତାହ ପରେ ‘ଆପ୍‌’ କର୍ଣ୍ଣାଟକ ହାଇକୋର୍ଟରେ ଏହି ପିଟିସନ୍‌ ଦାଖଲ କରିଛି। ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସର ବ୍ୟାପକ ପ୍ରସ୍ତୁତିକୁ ଦେଖିବା ପରେ ‘ଆପ୍‌’ ମେ’ ୧୦ରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ତୃଣମୂଳ ସ୍ତରରେ ଉପସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ୧୩ ତାରିଖରେ ଭୋଟ୍‌ ଗଣତି ହେବ।

Leave A Reply

Your email address will not be published.