ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯିବାକୁ ନେଇ ତେଜିଲା ରାଜନୀତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯିବାକୁ ନେଇ ତେଜିଲା ରାଜନୀତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ସମ୍ପୃକ୍ତି ଆଶଙ୍କା କରି ବିଜେଡି ଲିଷ୍ଟରୁ ବାଦ ଦେଇଥିବା ଅଭିଯୋଗ ଆଣିଲା ବିଜେପି । ସମାନ ପ୍ରସଙ୍ଗ ଉଠାଇ ସମାଲୋଚନା କଲା କଂଗ୍ରେସ। ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଛି, ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ତାଙ୍କୁ ବାଦ୍ ଦିଆଗଲା, ନବୀନ ପଟ୍ଟନାୟକ କାହାର ନୁହେଁ, ସୁଶାନ୍ତ ସିଂଙ୍କୁ କେମିତି ଛାଡ଼ିବେ। ଆଗରୁ ଦିଲୀପ ରାୟ, ବିଜୟ ମହାପାତ୍ର ଓ ନଳିନୀ ମହାନ୍ତିଙ୍କ ପରି ଲୋକଙ୍କୁ ଛାଡ଼ି ନାହାନ୍ତି। ଏଣେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ବିରୋଧୀ ଦଳ ନେତା ମଧ୍ୟ କହିଥିଲେ, ବିଜେଡ଼ି ସେହି କଥାକୁ ଅଫିସିଆଲି ସ୍ୱୀକାର କରିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବିଜେଡ଼ି ନେତାଙ୍କ ହାତ ଅଛି ।  ଯେଉଁଥିପାଇଁ ଝାରସୁଗୁଡାରେ ନବଙ୍କ ସମର୍ଥକ ତଥା ବିଜେଡ଼ି ଲୋକଙ୍କର କ୍ରୋଧ ଅଛି । କେମିତି ସେଥିରୁ ମୁକୁଳିବେ ସେ ଚେଷ୍ଟା ବିଜେଡ଼ି କରୁଛି । ତେଣୁ ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାମାନଙ୍କୁ ବାଦ ଦିଆଯାଇଛି । ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା । ଏକଥା ସୂଚାଉଛି କି ହତ୍ୟାକାଣ୍ଡ ସହ ବିଜେଡି ନେତାଙ୍କର ସମ୍ପୃକ୍ତି ଅଛି ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ।

ତେଣେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ନେଇ ବିଜେଡି ସାଂସଦ ମହେଶ ସାହୁ କହିଛନ୍ତି, ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ ହିଁ କହିପାରିବେ। କିଏ କଣ କହୁଛି ତାକୁ ନେଇ କିଛି କହି ହେବ ନାହିଁ। ନବ ଦାସ ହତ୍ୟାକୁ ନେଇ ତଦନ୍ତ ଚାଲିଛି। ବିରୋଧୀ ଦଳ ବହୁତ କଥା କହୁଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ପଡ଼ିବାକୁ ନେଇ ସୁଶାନ୍ତ ସିଂଙ୍କର ତ ପ୍ରତିକ୍ରିୟା ନାହିଁ। ବିରୋଧୀ ଦଳ କଣ ଯାହା ପ୍ରତିକ୍ରିୟା ଦେବେ, ତାଙ୍କ କଥାରେ କଣ ନାଚିବୁ ? ବିରୋଧୀ ଦଳ କଣ ଜଜ୍, ସେ ଯାହା କହିବେ ତାଙ୍କ କଥାରେ ସବୁ ଚାଲିବ ? । ତେବେ ଆସନ୍ତା ମେ ୧୦ ତାରିଖରେ ପଡିବାକୁ ଯାଉଛି ଝାରସୁଗୁଡା ଉପ ନିର୍ବାଚନ ଭୋଟ୍ । ଏହାର ରେଜଲ୍ଟ ଆସନ୍ତା ମେ ୧୩ ତାରିଖରେ ଆସିବ । ତେବେ ଉପ ନିର୍ବାଚନ ପାଇଁ ଶାସକ ବିଜେଡି ବିରୋଧୀଙ୍କୁ ପଛରେ ପକାଇ ଆଗ ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ନେତା ନବ ଦାସଙ୍କ ଝିଅକୁ ଦଳ ପ୍ରାର୍ଥୀ କରିବା ସହ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ଏପଟେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା କରିପାରେ।

ଝାରସୁଗୁଡ଼ା ଦାୟିତ୍ୱରେ ଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ୬ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଆଜି ପିସିସିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ଓ ଦୁଇରୁ ତିନି ଦିନ ଭିତରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାଯାଇଛି। ଉପନିର୍ବାଚନ ଲାଗି କଂଗ୍ରେସର ଟିକେଟ ଦୌଡ଼ରେ ତିନିଜଣ ଅଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ୨୦୧୯ର ପ୍ରାର୍ଥୀ ମହେନ୍ଦ୍ର ନାୟକ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ଅଶୋକ ମିଶ୍ର। ତେବେ ଏହି ତିନିଜଣଙ୍କ ମଧ୍ଯରୁ କାହାକୁ ଟିକେଟ ମିଳିବ ସେନେଇ ସସପେନ୍ସ ଲାଗି ରହିଛି। ଗତକାଲି କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି କମିଟିର ଅଧ୍ୟକ୍ଷ ରହିଥିବା  ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ରହିଛିନ୍ତି। ଏହି ଟିମ  ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡ଼ିଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବାବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ରହିଛି ତାକୁ କଂଗ୍ରେସ ପ୍ରାର୍ଥୀ କରିବ।

Leave A Reply

Your email address will not be published.