କର୍ଣ୍ଣାଟକରେ ବି ହାଟରେ ପଡ଼ି ବାଟରେ ଗଡ଼ିଲା କଂଗ୍ରେସ କନ୍ଦଳ, ବାତିଲ ହେଲା ରାହୁଲ ଗାନ୍ଧିଙ୍କ ଜନସଭା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶବ୍ୟାପୀ କଂଗ୍ରେସ କନ୍ଦଳ ହାଟରେ ପଡ଼ି ବାଟରେ ଗଡ଼ୁଛି । ଏହି ପ୍ରମରୁ ବାଦ ପଡ଼ିନି କର୍ଣ୍ଣାଟକର କଂଗ୍ରେସ କନ୍ଦଳ । ତେବେ ଏହି କନ୍ଦଳ ପାଇଁ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ବହୁ ପ୍ରତିକ୍ଷିତ ଜନସଭା ଏବେ ବାତିଲ ହୋଇଯାଇଛି । ବାସ୍ତବରେ କୁହାଯାଉଥିଲା ଯେ ରାହୁଲ ଗାନ୍ଧୀ ତାଙ୍କର କର୍ଣ୍ଣାଟକରେ ନିର୍ବାଚନ ଅଭିଯାନ ସେହି ସ୍ଥାନରୁ ଆରମ୍ଭ କରିବେ, ଯେଉଁଠାରେ ‘ମୋଦୀ ସାଙ୍ଗିଆ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ରାହୁଲ ଗାନ୍ଧୀ କର୍ଣ୍ଣାଟକରେ କୋଲାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ନେଇ ଯୋଜନା ହୋଇଥିଲା । ଖୋଦ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର କହିଥିଲେ ଯେ ରାହୁଲ ଗାନ୍ଧୀ କୋଲାରକୁ ଫେରିବେ ଏବଂ ତାଙ୍କ ସତ୍ୟମେଵ ଜୟତେ ରାଲି ଆରମ୍ଭ କରିବେ। ତେବେ ବର୍ତ୍ତମାନ ଏହି ଜନସଭା ବାତିଲ ହୋଇଯାଇଛି ।

ବଡ଼ କଥା ଯେ ଜନସଭା ବାତିଲ ହେବା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କଂଗ୍ରେସ ଦଳର ନେତାଙ୍କ କହିବା ଅନୁଯାୟୀ ପ୍ରାୟ ୨୫ଟି ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ମଧ୍ୟରେ ତୀବ୍ର କଳହ ଲାଗିରହିଛି । ଅନ୍ୟପକ୍ଷରେ ଦଳର ନେତୃତ୍ୱ ଏପର୍ଯ୍ୟନ୍ତ ସିଦ୍ଧରମେୟାଙ୍କୁ କୋଲାରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ ନିଷ୍ପତ୍ତି ନେଇନାହାଁନ୍ତି। ପୂର୍ବରୁ ବରୁଣାରୁ ଲଢ଼ିବା ପାଇଁ ମନୋନୀତ ହୋଇଥିବା ସିଦ୍ଧରମେୟା କହିଛନ୍ତି ଯେ ସେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ, ଏହା ଠିକ୍ ହେବ ନାହିଁ ବୋଲି କଂଗ୍ରେସ ଚିନ୍ତା କରୁଛି। ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ଯେତେବେଳେ ସିଦ୍ଧରମେୟା କୋଲାରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ଥିର ହୋଇନାହିଁ ସେତେବେଳେ ରାହୁଲ କିପରି ସେଠାରେ ଜନସଭା କରିବେ । ଉଲ୍ଲେଖ ଥାଉ କି, କଂଗ୍ରେସ ଏପର୍ଯ୍ୟନ୍ତ ୨୨୪ଟି ଆସନ ମଧ୍ୟରୁ ୧୬୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏବଂ ୫୮ଟି ଆସନକୁ ନେଇ ନିଷ୍ପତ୍ତି ନିଆଯାଇନାହିଁ । ସୂତ୍ରରୁ ପ୍ରକାଶ ଯେ ଏହି ୫୮ଟି ସିଟ୍ ମଧ୍ୟରୁ ୨୫ଟି ଆସନକୁ ନେଇ ସିଦ୍ଧରମେୟା ଏବଂ ଶିବକୁମାରଙ୍କ ମଧ୍ୟରେ କନ୍ଦଳ ଲାଗିରହିଛି। ଆସନ୍ତା ମେ ୧୦ରେ କର୍ଣ୍ଣାଟକରେ ଭୋଟଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଫଳାଫଳ ଆସିବ ।

ଏପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ଗ୍ଲାମର ତଡକା । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜନୈତିକ ଦଳ ଭୋଟରକୁ ଆକୃଷ୍ଟ କରିବାକୁ ଫିଲ୍ମ କଳାକାରଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି । କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ କନ୍ନଡ ସୁପରଷ୍ଟାର କିଚା ସୁଦୀପ । ଷ୍ଟାର କ୍ୟାମ୍ପେନର ଭାବେ ସେ ବିଜେପି ପାଇଁ କରିବେ ପ୍ରଚାର । ଗତ କିଛି ଦିନ ହେବ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚାକୁ ଖଣ୍ଡନ କରି ନିର୍ବାଚନ ଲଢିବେ ନାହିଁ, କେବଳ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି କୀଚା ସୁଦୀପ କହିଛନ୍ତି, ବିଜେପି ତାଙ୍କୁ ଦରକାର ବେଳେ ସାହାର୍ଯ୍ୟ କରିଥିଲା, ତେଣୁ ନିର୍ବାଚନ ବେଳେ ସେ ବିଜେପି ସମର୍ଥନରେ ପ୍ରଚାର କରିବେ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଦଳ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କେବଳ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ତାଙ୍କ ଦଳକୁ ସମର୍ଥନ କରିବାକୁ କରିବେ । ସେ ଯେଉଁ ପାର୍ଟିରେ ରହିଥିଲେ, ସେ ତାଙ୍କୁ ସମର୍ଥନ କରିବା କଥା କହିଛନ୍ତି । ସାଉଥ ଫିଲ୍ମ ସହ ବଲିଉଡର ଜଣାଶୁଣା ଚେହେରା ହେଉଛନ୍ତି କୀଚା ସୁଦୀପ । ଫୁଙ୍କ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ସଲମାନଙ୍କ ଫିଲ୍ମ ଦବଙ୍ଗ ୨ରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ ।

Leave A Reply

Your email address will not be published.