ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଢୁଛି ଚୀନ ତାଇୱାନ ବିବାଦ। ତାଇୱାନ ସୀମାରେ ଚୀନ୍ର ଯୁଦ୍ଧାଭ୍ୟାସକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ ଆମେରିକା ଗସ୍ତରେ ଯାଇ କାଲିଫର୍ଣ୍ଣିଆଠାରେ ଆମେରିକା ପ୍ରତିନିଧି ସଭାର ବାଚସ୍ପତି କେଭିନ ମ୍ୟାକ୍କାର୍ଥିଙ୍କ ସହ ସାକ୍ଷାତ ଆଲୋଚନାକୁ ନେଇ ଚୀନ୍ କ୍ଷୁବ୍ଧ ହୋଇ ୩ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରି ଦେଇଛି। ଗତକାଲି ତାଇୱାନ ଉପରେ ଚୀନ୍ ସେନାର ଯୁଦ୍ଧାଭ୍ୟାସ ଯୋଗୁଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ତାଇୱାନ ଉପକୂଳରେ ଚୀନ୍ ୮ଟି ଯୁଦ୍ଧ ଜାହାଜ ମୁତୟନ କରିଛି ଏବଂ କ୍ଷେପଣାସ୍ତ୍ର ପ୍ରଦର୍ଶନ କରିଛି।
ତାଇୱାନ ଆକାଶରେ ଚୀନ୍ର ୧୨ଟି ଯୁଦ୍ଧବିମାନ ପଇଁତରା ମାରିଥିବାବେଳେ ମୋଟ ୭୧ଟି ବିମାନ ଉଡ଼ିଥିବା ଜଣାପଡ଼ିଛି। ସୀମା ନିକଟରେ ଚୀନ୍ ଯୁଦ୍ଧାଭ୍ୟାସ କରି ତାଇୱାନକୁ ଭୟଭୀତ କରାଇବାକୁ ଉଦ୍ୟମ କରୁଥିବା ସେଠାକାର ପ୍ରତିରକ୍ଷା ବିଭାଗ ତରଫରୁ ଦର୍ଶାଯାଇଛି।
ଇତିମଧ୍ୟରେ ଚୀନ୍ ପ୍ରତିରକ୍ଷା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ତାଇୱାନ ସୀମାରେ ଚୀନ୍ ସେନା କରୁଥିବା ଯୁଦ୍ଧାଭ୍ୟାସରେ ନୌସେନା ଓ ବାୟୁସେନାର ଲଢ଼ୁଆ ଜାହାଜ ଓ ବିମାନ ସାମିଲ ହୋଇଛନ୍ତି। ଏହି ଅଞ୍ଚଳରେ ଚୀନ୍ ନିଜର ଆକ୍ରମଣାତ୍ମକ ମନୋଭାବ ଆଗାମୀ ଦିନରେ ବଜାୟ ରଖିବ।
ରବିବାର ଚୀନ୍ର ସୁଖୋଇ ଯୁଦ୍ଧ ବିମାନ, ବୋମାବର୍ଷଣକାରୀ ବିମାନକୁ ତାଇୱାନ ଆକାଶସୀମାରୁ ଅଳ୍ପଦୂରରେ ଉଡୁଥିବା ଦେଖିବାକୁ ମିଳିଥିଲା ବୋଲି ସେଠାକାର ଗଣମାଧ୍ୟମ ତରଫରୁ ସୂଚନା ଦିଆଯାଇଛି, ସେହିପରି ଚୀନ୍ର କ୍ଷେପଣାସ୍ତ୍ର ବାହିନୀର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା ତାଇୱାନ ପ୍ରତିରକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ତାଇୱାନ ନିଜର ଏୟାର ଡିଫେନ୍ସ ସିଷ୍ଟମ ସୀମାରେ ମୁତୟନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚୀନ୍ର ଯୁଦ୍ଧାଭ୍ୟାସ ସମ୍ପର୍କରେ ଆମେରିକା ତରଫରୁନଜର ରଖାଯାଇଥିବା ତାଇୱାନରେ ଅବସ୍ଥାପିତ ଚୀନ୍ ଦୂତାବାସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଆମେରିକା ସର୍ବଦା ଗୁରୁତ୍ବାରୋପ କରି ଆସୁଥିବା ଆମେରିକା ତରଫରୁ ସ୍ପଷ୍ଟ କରି ଦିଆଯାଇଛି।