ଝାରସୁଗୁଡା ଉପ-ନିର୍ବାଚନ: ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ !

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ-ନିର୍ବାଚନ ପାଇଁ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆସନ୍ତା ମେ ୧୦ ତାରିଖରେ ପଡିବାକୁ ଯାଉଛି ଝାରସୁଗୁଡା ଉପ ନିର୍ବାଚନ ଭୋଟ୍ । ଏହାର ରେଜଲ୍ଟ ଆସନ୍ତା ମେ ୧୩ ତାରିଖରେ ଆସିବ । ତେବେ ଉପ ନିର୍ବାଚନ ପାଇଁ ଶାସକ ବିଜେଡି ବିରୋଧୀଙ୍କୁ ପଛରେ ପକାଇ ଆଗ ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ନେତା ନବ ଦାସଙ୍କ ଝିଅକୁ ଦଳ ପ୍ରାର୍ଥୀ କରିବା ସହ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ମଧ୍ୟ ଆଜି ତାର ପ୍ରାର୍ଥୀ ଘୋଷଣା କରିବ । ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାଁ ସର୍ବାଗ୍ରେ ଅଛି । ଖୁବଶୀଘ୍ର ଏନେଇ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି କହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ଝାରସୁଗୁଡାରେ ଟଙ୍କଧର ସଙ୍ଗଠନ କରି ଆସୁଛନ୍ତି । ତେବେ ଏନେଇ ଦଳ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସୁବାସ । ଝାରସୁଗୁଡାରେ ବିଜେପିର ବିଜୟ ନିଶ୍ଚିତ ବୋଲି ସୁବାସ କହିଛନ୍ତି । କାରଣ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ରହିଛି । ଦୀନେଶ ଜୈନ ଦଳର ଟାଣୁଆ ସଙ୍ଗଠକ । ତେଣୁ ଦଳ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବ ।

 ଅନ୍ୟପଟେ କଂଗ୍ରେସ ଏଯାବତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା କରିପାରେ। ଝାରସୁଗୁଡ଼ା ଦାୟିତ୍ୱରେ ଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ୬ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ପିସିସିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଉପନିର୍ବାଚନ ଲାଗି କଂଗ୍ରେସର ଟିକେଟ ଦୌଡ଼ରେ ତିନିଜଣ ଅଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ୨୦୧୯ର ପ୍ରାର୍ଥୀ ମହେନ୍ଦ୍ର ନାୟକ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ଅଶୋକ ମିଶ୍ର। ତେବେ ଏହି ତିନିଜଣଙ୍କ ମଧ୍ଯରୁ କାହାକୁ ଟିକେଟ ମିଳିବ ସେନେଇ ସସପେନ୍ସ ଲାଗି ରହିଛି। କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି କମିଟିର ଅଧ୍ୟକ୍ଷ ରହିଥିବା  ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ରହିଛିନ୍ତି। ଏହି ଟିମ  ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡ଼ିଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବାବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ରହିଛି ତାକୁ କଂଗ୍ରେସ ପ୍ରାର୍ଥୀ କରିବ। ଆସନ୍ତା ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବ । ମେ’ ୧୩ରେ ଭୋଟ ଗଣତି ହେବ । ସେହିଭଳି ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୦ ରହିଛି ।

Leave A Reply

Your email address will not be published.