ସର୍ବନିମ୍ନ ମଜୁରି ଘୋଷଣା କଲେ କେନ୍ଦ୍ର ସରକାର, କୁଶଳୀ ଶ୍ରମିକଙ୍କ ମଜୁରି ୭୩୬ରୁ ୮୫୮ ଟଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସର୍ବନିମ୍ନ ମଜୁରି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।  ସରକାରଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୯୪ରୁ ୬୧୬ ଟଙ୍କା, ଅର୍ଧକୁଶଳୀ ଶ୍ରମିକଙ୍କ ୬୧୬ରୁ ୭୩୬ ଟଙ୍କା, କୁଶଳୀ ଶ୍ରମିକଙ୍କ ୭୩୬ରୁ ୮୫୮ ଟଙ୍କା ଏବଂ ଅତି କୁଶଳୀ ଶ୍ରମିକଙ୍କ ପାଇଁ ମଜୁରି ୮୫୮ ରୁ ୯୫୯ ଟଙ୍କା ମଧ୍ୟରେ ରଖାଯାଇଛି। କୃଷି, ନିର୍ମାଣ, ସଫେଇ, ଲୋଡିଂ, ପଥର ଖଣି, ବନ୍ଧୁକଧାରୀ ଜଗୁଆଳି ଏବଂ ଅଣବନ୍ଧୁକଧାରୀ ଜଗୁଆଳି ପ୍ରତ୍ୟେକଙ୍କ ପାଇଁ ସ୍ବତନ୍ତ୍ର ଭାବରେ ସର୍ବନିମ୍ନ ମଜୁରି ଘୋଷଣା କରାଯାଇଛି।

କୃଷି କ୍ଷେତ୍ରର ବି ଏବଂ ସି ଏରିଆ ପାଇଁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୨୯ ଏବଂ ୪୨୪, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୪୭୨ ଏବଂ ୪୩୪, କୁଶଳୀ ଶ୍ରମିକଙ୍କ ମଜୁରି ୫୧୩ ଏବଂ ୪୭୧, ଅତି କୁଶଳୀଙ୍କ ୫୭୪ ଏବଂ ୫୧୩, ନିର୍ମାଣ କ୍ଷେତ୍ରର ବି ଏବଂ ସି ଏରିଆ ପାଇଁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୬୧୬ ଏବଂ ୪୯୪, ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୬୯୫ ଏବଂ ୫୭୭, କୁଶଳୀ ଶ୍ରମିକଙ୍କ ମଜୁରି ୮୧୬ ଏବଂ ୬୯୫, ଅତି କୁଶଳୀଙ୍କ ୮୯୭ ଏବଂ ୮୧୬ ରହିଛି। ବି ଏବଂ ସି କ୍ଷେତ୍ରର ଲୋଡିଂ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୬୧୬ ଏବଂ ୪୯୪, ସଫେଇ ଶ୍ରମିକଙ୍କ ମଜୁରି ୬୧୬ ଏବଂ ୪୯୪, ଅଣବନ୍ଧୁକଧାରୀ ଜଗୁଆଳୀଙ୍କ ମଜୁରି ୮୧୬ ଏବଂ ୬୯୫, ବନ୍ଧୁକଧାରି ଜଗୁଆଳିଙ୍କ ମଜୁରି ୮୯୭ ଏବଂ ୮୧୬ ଟଙ୍କା ଘୋଷଣା କରାଯାଇଛି। ପଥର ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ବେସିକ ୱେଜ ୪୯୮ରୁ ୧୨୫୫ ମଧ୍ୟରେ ଘୋଷଣା କରାଯାଇଛି। କେନ୍ଦ୍ରୀୟ ଶ୍ରମ କମିସନଙ୍କ ନିର୍ଦେଶରେ ଭୁବନେଶ୍ବରସ୍ଥିତ ଉପମୁଖ୍ୟ ଶ୍ରମ କମିସନ(କେନ୍ଦ୍ରୀୟ) ଏସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଜଣେ ଶ୍ରମିକ କେତେ ମଜୁରି ପାଇବା ଦରକାର, ଏ ସମ୍ପର୍କରେ ୧୯୪୮ ମସିହାରେ ସର୍ବନିମ୍ନ ମଜୁରି ଆଇନ କରାଗଲା। ସେତେବେଳ ପର୍ଯ୍ୟନ୍ତ ଭାରତର ସମ୍ବିଧାନ ଗୃହୀତ ହୋଇନଥାଏ। ୧୯୫୭ ମସିହାରେ ୧୫ଶ ଶ୍ରମ ସମ୍ମିଳନୀ ଗୁଲଜାରିଲାଲ ନନ୍ଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ତା’ପୂର୍ବରୁ ଭାରତର ସମ୍ବିଧାନ ୧୯୫୦ରେ ଗୃହୀତ ହେବା ସମୟରେ, ସମ୍ବିଧାନ ସ୍ୱୀକାର କରିଥିଲା ଯେ ରାଷ୍ଟ୍ର ଓ ସରକାର ଏପରି ଏକ ଅର୍ଥନୈତିକ ବ୍ୟବସ୍ଥା ଗ୍ରହଣ କରିବେ, ଯେଉଁଠି ପ୍ରତ୍ୟେକ ନାଗରିକ ନିଯୁକ୍ତି ପାଇବ ଓ ଉତ୍ତମ ମଜୁରି ପାଇବ। ତାପରେ ଏକ ତ୍ରିପାକ୍ଷିକ କମିଟି ଗଠିତ ହୋଇଥିଲା ଓ ଏହି କମିଟି ସୁପାରିସ କରିଥିଲା ତିନି ପ୍ରକାର ମଜୁରି। ୧- ଭଲଭାବେ ବଞ୍ଚିବା ପାଇଁ ମଜୁରି, ୨- ଉତ୍ତମ ମଜୁରି, ୩- ସର୍ବନିମ୍ନ ମଜୁରି।

୧୯୫୭ ମସିହାରେ ଅନୁଷ୍ଠିତ ଶ୍ରମ ସମ୍ମିଳନୀ ଘୋଷଣା କଲା ଯେ ଜଣେ ଶ୍ରମିକର ପରିବାର ହେଉଛି ତିନିଜଣ। ଦୈନିକ ଜଣେ ମଣିଷକୁ ୨୭୦୦ କ୍ୟାଲୋରୀ ଖାଦ୍ୟ ଦରକାର। ଏକ କ୍ୟାଲୋରୀ ହେଉଛି ଏକ ଶକ୍ତି ୟୁନିଟ। ଏକ ଗ୍ରାମ ପାଣିକୁ ଏକ ଡ଼ିଗ୍ରୀ ଗରମ କରିବା ପାଇଁ ଏକ କ୍ୟାଲୋରୀ ଶକ୍ତି ଦରକାର। ସୁତରାଂ ୨୭୦୦ କ୍ୟାଲୋରୀ ଶକ୍ତି ଉତ୍ପାଦନ କରିବା ଭଳି ଖାଦ୍ୟ ଓ ଗୋଟିଏ ପରିବାରକୁ ବର୍ଷକୁ ୭୨ ଗଜ କପଡା, ରହିବା ପାଇଁ ୧୮୦ ବର୍ଗଫୁଟ ଘର ଭଡା, ଜାଳେଣି, ବିଦ୍ୟୁତ୍ ଓ ଅନ୍ୟାନ୍ୟ ପାଇଁ ମଜୁରିର ୨୦ ଶତାଂଶ ଦିଆଯିବ। ଏହା ପରେ ୧୯୯୧ରେ ସୁପ୍ରିମ କୋର୍ଟ ରାୟଦେଲେ ଯେ ପାଠପଢ଼ା ଓ ଚିକିତ୍ସା ପାଇଁ ଆଉ ୨୫% ମୂଳ ମଜୁରି ଭାବରେ ଦିଆଯାଉ। ଏହାକୁ ହିସାବ କଲେ ଜଣେ ଶ୍ରମିକ ମାସକୁ ସର୍ବନିମ୍ନ ୨୫-୩୦ ହଜାର ଟଙ୍କା ପାଇବା ଆବଶ୍ୟକ।

Leave A Reply

Your email address will not be published.