ଅଣ ବିଜେପି ଶାଶିତ ରାଜ୍ୟରେ କାହିଁକି ସରକାରଙ୍କ ଟାର୍ଗେଟରେ ରାଜ୍ୟପାଳ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଣ ବିଜେପି ଶାଶିତ ରାଜ୍ୟରେ କାହିଁକି ସରକାରଙ୍କ ଟାର୍ଗେଟରେ ରାଜ୍ୟପାଳ ? କାହିଁକି ସାମ୍ବିଧାନିକ ପଦପଦବୀ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଲଢେଇ ତୀବ୍ର ହେଉଛି। ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରଙ୍କର କାହିଁକି ରାଜ୍ୟପାଳଙ୍କ ସହ ପଡୁନାହିଁ । ଏପରିକି ଅଣବିଜେପି ଶାସିତ ରାଜ୍ୟରେ ଏ ସବୁ ବ୍ୟାପକ ଭାବେ ଦେଖାଦେଉଛି । ପୂର୍ବରୁ ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରଙ୍କର ରାଜ୍ୟପାଳଙ୍କ ସହ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । କେନ୍ଦ୍ରରେ ଏବେର ବିଜେପି ସରକାର ସମୟରେ ଏ ସବୁ ବ୍ୟାପକ ଭାବେ ଦେଖିବାକୁ ମିଳିଥିବା କୁହାଯାଉଛି । ଏବେ ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ସହିତ ତାମିଲନାଡୁର ଡିଏମକେ ସରକାରର ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ତାମିଲନାଡୁ ରାଜ୍ୟପାଳ ବିଭିନ୍ନ ବିଲ ପାସ କରାଇବାରେ ବହୁ ବିଳମ୍ବ କରୁଥିବାରୁ ଏହା ବିରୋଧରେ ବିଧାନସଭାରେ ଏକ ସଂକଳ୍ପନାମା ଗୃହୀତ ହୋଇଛି।

ତାମିଲନାଡୁ ରାଜ୍ୟପାଳଙ୍କର ସମ୍ବିଧାନ ଅପେକ୍ଷା ରାଜନୈତିକ ଦଳ ପ୍ରତି ଅଧିକ ଆନୁଗତ୍ୟ ରହୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। କେନ୍ଦ୍ରର ବିଜେପି ସରକାର ପ୍ରତି ଆନୁଗତ୍ୟକୁ ଇଙ୍ଗିତ କରି ଷ୍ଟାଲିନ ଏ କଥା କହିଥିବା କୁହାଯାଉଛି । ରାଜନୈତିକ ଆଭିମୁଖ୍ୟ ରଖି ତାଙ୍କ ସରକାରକୁ ଟାର୍ଗେଟ କଲେ ସେ ଚୁପ ବସିବେ ନାହିଁ ବୋଲି କହିଛନ୍ତି ଷ୍ଟାଲିନ। ଏହା କେବଳ ଏକମାତ୍ର ଉଦାହରଣ ନୁହେଁ। ପଶ୍ଚିମବଙ୍ଗରେ ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲଢେଇ କଥା ସମସ୍ତେ ଜାଣନ୍ତି । ଚରମସୀମାରେ ଥିଲା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ ।  ଲଢେଇ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଉଭୟଙ୍କ ମଧ୍ୟରେ କଳହ ବ୍ୟକ୍ତିଗତ ସ୍ତରକୁ ଯାଇଥିଲା। ଶେଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏଥିସହ ସେ ରାଜ୍ୟପାଳଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଛନ୍ତି ବୋଲି କହିଥିଲେ । ମମତା ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ରାଜ୍ୟପାଳ ତାଙ୍କ ଫୋନକୁ ଟ୍ୟାପିଂ କରୁଛନ୍ତି । ଏମିତିକି ରାଜ୍ୟ ଅଧିକାରୀଙ୍କୁ ରାଜ୍ୟପାଳ ଧମକ ଦେଉଥିବା ମମତା ଅଭିଯୋଗ ଆଣିଥିଲେ। ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଥିବାବେଳେ ମମତାଙ୍କ ସହ ଲଗାତର ମୁହାଁମୁହିଁ କଥା ସାରା ଦେଶରେ ଚର୍ଚ୍ଚାର ମୁଖ୍ୟ କାରଣ ସାଜିଥିଲା।

ସେହିପରି ଦିଲ୍ଲୀରେ ଏଲଜିଙ୍କ ସହ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଲଢେଇ ସମସ୍ତେ ଜାଣନ୍ତି । ମହାରାଷ୍ଟ୍ରରେ ରାଜ୍ୟପାଳ ରାତାରାତି ସରକାରକୁ ଶପଥ ଦିଆଇବା କଥା ଆଜି ବି ଚର୍ଚ୍ଚା ହୁଏ । ତେଣୁ ଏବେ ବିଭିନ୍ନ ରାଜ୍ୟରେ ସାମ୍ବିଧାନିକ ମୁଖ୍ୟ ଓ ନିର୍ବାଚିତ ସରକାର ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ନେଇ ଚର୍ଚା ଜୋର ଧରିଛି। ଭାରତୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାରେ ଏସବୁ ଗ୍ରହଣୀୟ ନୁହେଁ ବୋଲି ଚର୍ଚା ହେଉଥିବା ବେଳେ ଆଗକୁ ଏସବୁ  କେଉଁ ମୋଡ଼ ନେଉଛି ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.