ବେକାରୀ ସମସ୍ୟାରେ ଲାଗିବ ରୋକ୍: ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବେକାରୀ ସମସ୍ୟାରେ ଲାଗୁବ ରୋକ୍, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବଢୁଥିବା ବେରୋଜଗାରୀ ସଂଖ୍ୟାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର କିଛିଦିନ ହେବ ନିଯୁକ୍ତିମେଳାର ଆୟୋଜନ କରୁଛନ୍ତି । ଏହାସହ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରତି ପର୍ଯ୍ୟାୟରେ ୭୧ ହଜାର ଲେଖାଏଁ ନିଯୁକ୍ତିପତ୍ର ବାଣ୍ଟୁଛନ୍ତି । ଏହି ନିଯୁକ୍ତି ମେଳାର ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି ଗୁରୁବାର ପ୍ରଧାନମନ୍ତ୍ରୀ ପୁଣି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରୁ ଚୟନ ହୋଇଥିବା ନୂଆ ନିଯୁକ୍ତି କ୍ରମରେ ଭାରତ ସରକାର ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ଇନସ୍ପେକ୍ଟର,ସବଇନସ୍ପେକ୍ଟର,କନେଷ୍ଟବଳ, ସ୍ଟେନୋଗ୍ରାଫର, ଡାକ ସହାୟକ, ଆୟକର ବିଭାଗର ଇନସ୍ପେକ୍ଟର, ଟ୍ୟାକ୍ସ ସହାୟକ, ବରିଷ୍ଠ ଡ୍ରାଫ୍ଟମ୍ୟାନ, ଜେଇ/ସୁପରଭାଇଜର ଭଳି ପଦପାଇଁ ନିଯୁକ୍ତିପତ୍ର ବାଣ୍ଟିବେ । ଏହା ବ୍ୟତୀତ ନବ ନିଯୁକ୍ତ କର୍ମୀମାନଙ୍କୁ ‘କର୍ମଯୋଗୀ ପ୍ରାରମ୍ଭ’ ଯୋଜନାରେ ନିଜକୁ ନିଜେ କିଭଳି ପ୍ରଶିକ୍ଷିତ କରିପାରିବେ ସେନେଇ ମଧ୍ୟ ସୁଯୋଗ ମିଳିବ । ଏନେଇ ନବ ନିଯୁକ୍ତ କର୍ମୀମାନଙ୍କ ପାଇଁ ଅନ୍ ଲାଇନ ଓରିଏଣ୍ଟସନ କୋର୍ସ ଉପଲବ୍ଧ କରାଯାଇଛି ।

ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ୭.୬୦ ପ୍ରତିଶତ ତୁଳନାରେ ଅପ୍ରେଲରେ ଦେଶରେ ବେକାରୀ ହାର ୭.୮୩ ପ୍ରତିଶତକୁ ବୃଦ୍ଧି ପାଇଛି ।  ସହରାଞ୍ଚଳରେ ବଢୁଥିବା ବେକାରି ସମସ୍ୟାକୁ ନେଇ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ସହରାଞ୍ଚଳରେ ବେକାରୀ ହାର ଗ୍ରାମାଞ୍ଚଳ ତୁଳନାରେ ଅଧିକ ରହିଛି । ତଥ୍ୟ ଅନୁଯାୟୀ, ସହରାଞ୍ଚଳରେ ବେକାରୀ ହାର ମାର୍ଚ୍ଚରେ ୮.୨୮ ପ୍ରତିଶତ ଥିଲା ଯାହା ଅପ୍ରେଲରେ ୯.୨୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ, ଗ୍ରାମାଞ୍ଚଳରେ ବେକାରୀ ହାର ଅପ୍ରେଲରେ ୭.୧୮ ପ୍ରତିଶତ ହୋଇଛି, ଯାହା ପୂର୍ବ ମାସରେ ୭.୨୯ ପ୍ରତିଶତ ଥିଲା ।

ଏହା ବ୍ୟତୀତ ତଥ୍ୟ ଦର୍ଶାଉଛି ଯେ ବିଜେପି ଶାସିତ ରାଜ୍ୟ ହରିୟାଣାରେ ସର୍ବାଧିକ ବେକାରୀ ହାର ରହିଛି । ତଥ୍ୟ ଅନୁଯାୟୀ, ହରିୟାଣାରେ ବେକାରୀ ହାର ପ୍ରାୟ ୩୪.୫ ପ୍ରତିଶତ ଥିବାବେଳେ କଂଗ୍ରେସ ଶାସିତ ରାଜସ୍ଥାନରେ ଏହି ସଂଖ୍ୟା ୨୮.୮ ପ୍ରତିଶତ, ବିହାରରେ ୨୧.୧ ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀରରେ ୧୫.୬ ପ୍ରତିଶତ ରହିଛି । ଏହା ଧ୍ୟାନ ଦେବା ଜରୁରୀ ଯେ ଅପ୍ରେଲ ମାସରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର ଏବଂ ରୋଜଗାର ହାର ମଧ୍ୟ ବୃଦ୍ଧି ପାଇଛି ବୋଲି ସିଏମଆଇଇ ର ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି । ଏହା ଏକ ଭଲ ବିକାଶ ବୋଲି ବ୍ୟାସ କହିଛନ୍ତି । ସେ କହିଛନ୍ତି ଯେ ଅପ୍ରେଲରେ ରୋଜଗାର ହାର ୩୬.୪୬ ପ୍ରତିଶତରୁ ୩୭.୦୫ ପ୍ରତିଶତକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.