ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୟାପଲ୍ଲୀ ଜମି ଜବରଦଖଲ ମାମଲାର ମାଷ୍ଟରମାଇଣ୍ଡ ରାଘବ ଘର ଉପରେ ବୁଲିଲା ବୁଲଡୋଜର । ଭୁବନେଶ୍ୱର ଝାରପଡ଼ା ଅଂଚଳରେ ସରକାରୀ ଜମିକୁ ଦଖଲ କରିବା ପରେ ଏହା ଉପରେ ଘର ଓ ଦୋକାନ ଘର ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ଭଡ଼ା ଆଦାୟ କରୁଥିଲା । ଏହି ବେଆଇନ୍ ଘରଗୁଡ଼ିକ ଉପରେ ଆଜି ବିଏମ୍ସିର ବୁଲ୍ଡୋଜର ଚାଲିଛି। ନୟାପଲ୍ଲୀ ଥାନା ଅଞ୍ଚଳରେ ବହୁ ସଂଖ୍ୟକ ବାଉନସରଙ୍କୁ ଲଗାଇ ଦୋକାନ ଭଙ୍ଗାରୁଜା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଘବ ଜେନା। ସେ ଏବେ ଫେରାର ଅଛି। ରାଘବ ଦଖଲ କରି ରଖିଥିବା ପାଖାପାଖି ୩୦ରୁ ଅଧିକ ଘର ଭାଂଗିଛି ବିଏମସିର ଏନଫୋର୍ସମେଣ୍ଟ ଟିମ୍। ଏହାସହ ସରକାରୀ ଜମିରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଘରକୁ ମଧ୍ୟ ଉଚ୍ଛେଦ କରାଯାଇଛି। କମିଶନରେଟ ପୁଲିସ ସହାୟତାରେ ଏହି ଉଚ୍ଛେଦ କାମ ଚାଲିଛି। ଘର ଉଚ୍ଛେଦ ଲାଗି ଗତକାଲି ସନ୍ଧ୍ୟାରେ ପୁଲିସ ସୂଚନା ଦେଇଥିବାବେଳେ ଆଜି ସକାଳୁ ଉଚ୍ଛେଦ କାମ ଚାଲିଛିି । ସରକାରୀ ଜମିକୁ ନିଜ କବଜାରେ ରଖି ଭଡା ଆଦାୟ କରୁଥିଲା ଅଭିଯୁକ୍ତ ରାଘବ ଜେନା। କିଛିଦିନ ପୂର୍ବରୁ ବାଉନସରମାନଙ୍କ ସାହାଯ୍ୟରେ ନୟାପଲ୍ଲୀ ଅଞ୍ଚଳରେ ରାଘବ ଜେନା ମାର୍ବଲ ଦୋକାନରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏକାଧିକ ବାଉନସରକୁ ଗିରଫ କରିଛି କମିଶନରେଟ ପୁଲିସ। ସେପଟେ ଉଚ୍ଛେଦକୁ ନେଇ ଏଠାରେ ରହୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଥଇଥାନ ନ କରାଯାଇ ଘର ଭଂଗାଯାଉଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି।
ଠିକ୍ ଏହିଭଳି ବଲାଂଗୀରରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବଲାଂଗୀର ପ୍ରଶାସନ । ସରକାରୀ ଜମିକୁ ମାଡି ବସି ଘର କରିଥିବା ଗ୍ୟାଙ୍ଗଷ୍ଟର, ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ । ଗ୍ୟାଙ୍ଗଷ୍ଟାରଙ୍କ ଘର ଉପରେ ଚାଲିଛି ବୁଲଡୋଜର । ୟୁପି ଷ୍ଟାଇଲରେ ବଲାଙ୍ଗୀର ପ୍ରଶାସନ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଉତରପ୍ରଦେଶର ଯୋଗୀ ସରକାର ଯେମିତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଠିକ୍ ସେହିଭଳି ବଲାଂଗୀରରେ ଗ୍ୟାଙ୍ଗଷ୍ଟର ଶ୍ରୀକାନ୍ତ କୁମ୍ଭାର ଓରଫ ଟିମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସରକାରୀ ଜମିକୁ ମାଡି ବସି ଘର କରିଥିବା ଗ୍ୟାଙ୍ଗଷ୍ଟର, ଘରକୁ ବୁଲଡୋଜର ଲଗାଇ ଭାଂଗି ଦେଇଛି ପ୍ରଶାସନ । ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଭାଂଗି ଘର ଭଂଗାଯାଇଛି । ଗ୍ୟାଙ୍ଗଷ୍ଟର ଟିମନ ବିରୋଧରେ ଏକାଧିକ ମାମଲା ରହିଛି । ଟିମନ ବିରୋଧରେ ଦାଦାବଟି, ବେଆଇନ ଜମି କାରବାର, ହତ୍ୟା ଭଳିି ଅଭିଯୋଗ ରହିଛି । ଆଉ ଏବେ ପୋଲିସ ଆକ୍ସନ ମୋଡ଼ରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ତେବେ ନିକଟରେ ମୁମ୍ବାଇର ମଧ ଅଞ୍ଚଳରେ ବେଆଇନ ଭାବେ ତିଆରି ହୋଇଥିବା ୧ହଜାର କୋଟି ଟଙ୍କାର ଷ୍ଟୁଡିଓ ଉପରେ ବୁଲଡୋଜର ଚଲାଇ ଭାଙ୍ଗିଛି ବିଏମସି । ଏନେଇ ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୌମ୍ୟା ଅଭିଯୋଗ କରିଥିଲେ । କିରିଟ ସୌମ୍ୟା ଅଭିଯୋଗ କରିଥିଲେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି ଷ୍ଟୁଡିଓ ପଛରେ ଆଦିତ୍ୟ ଠାକରେ ଓ ଅସଲମ୍ ଶେଖଙ୍କର ଭାଗିଦାରୀ ରହିଛି । ଆନୁମାନିକ ୫ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୨୦୨୧ ମସିହାରେ ଏହି ଷ୍ଟୁଡିଓ ନିର୍ମାଣ କରାଯାଇଥିଲା । ଏହାକୁ ନିର୍ମାଣ କରିବାରେ ପାଖାପାଖି ୧ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା କୁହାଯାଉଛି । ଏହି ଷ୍ଟୁଡିଓରେ ରାମ ସେତୁ ଓ ଆଦିପୁରୁଷ ଭଳି ସିନେମାର ସୁଟିଂ ହୋଇଥିଲା । ରାମ ସେତୁର ବଜେଟ ୧୫୦କୋଟି ଟଙ୍କା ଥିବା ବେଳେ ଆଦି ପୁରୁଷର ବଜେଟ ୬୫୦ କୋଟି ଟଙ୍କା ଥିଲା ।