ୟୁପିରେ ନଦୀକୁ ଖସିପଡିଲା ଟ୍ରାକ୍ଟର, ୧୩ ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶ ଶାହାଜାହାନପୁରରେ ନଦୀକୁ ଖସିପଡିଲା ଟ୍ରାକ୍ଟର । ଟ୍ରାକ୍ଟରର ଟ୍ରଲି ନଦୀକୁ ଖସିପଡିବା ପରେ ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରଲିରେ ୪୦ ଜଣ ବ୍ୟକ୍ତି ବସିଥିବା ବେଳେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତିଲହର ଅଞ୍ଚଳର ବିରସିଂହପୁର ଗାଁର ଏକ କାର୍ଯ୍ୟକ୍ରମ ରହିଥିଲା । ଗାଁର ଲୋକେ ଶନିବାର ସକାଳୁ ଟ୍ରାକ୍ଟର ଟ୍ରଲିରେ ବସି ସ୍ଥାନୀୟ ନଦୀକୁ ପାଣି ଆଣିବା ପାଇଁ ଯାଉଥିଲେ । ତେବେ ଠିକ ଏହା ପୂର୍ବରୁ ଭାରସାମ୍ୟ ହରାଇ ଟ୍ରାକ୍ଟର ନଦୀ ମଧ୍ୟକୁ ଖସିପଡିଥିଲା । ଏବେ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆହତଙ୍କ ଚିକିତ୍ସା ଜାରିରହିଛି ।

ସୂଚନାନୁଯୋଗ୍ୟ, ମଧ୍ୟପ୍ରଦେଶ ଇନ୍ଦୋରରେ ରାମନବମୀ ପୂଜା ବେଳେ ବଡ଼ ଅଘଟଣ ଘଟିଥିଲା । ମନ୍ଦିର କୂଆ ଛାତ ଭୁଶୁଡି  ଘଣାସ୍ଥଳରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି।  ସେନା, NDRF ଏବଂ SDRF ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇ ଉଦ୍ଧାର କରାଯାଇଥିଲା ।  ରାମ ନବମୀ ଅବସରରେ ଇନ୍ଦୋର ବେଲେଶ୍ୱର ମହାଦେବଙ୍କ ମନ୍ଦିରର ହୋମ ଯଜ୍ଞ ଚାଲିଥିବା ବେଳେ ମନ୍ଦିର ପରିସରରେ ଥିବା ୪୦ ଫୁଟ୍ ଗଭୀର କୂଅ ଉପରେ ରହିଥିବା ଛାତ ଅଚାନକ ଭୁଶୁଡ଼ି ପଡିବା ଫଳରେ ପ୍ରାୟ ୫୦ ଜଣ ଭକ୍ତ କୂଅରେ ପଡିଯାଇଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ ଘଟଣାସ୍ଥଳରେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଇନ୍ଦୋର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ,  ମୋଟ୍ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପରେ ଘରକୁ ମଧ୍ୟ ଫେରିଯାଇଛନ୍ତି ।

ମନ୍ଦିରରେ ଯଜ୍ଞ ଚାଲିଥିଲା ଏବଂ କନ୍ୟା ପୂଜା ବି ହେଉଥିଲା । ଯଜ୍ଞ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଲୋକେ ଏହି କୂଅ ଉପରେ ବସି ଯଜ୍ଞ ଦେଖୁଥିଲେ । ଓଜନ ବଢି ଯିବାରୁ କୂଅର ଛାତ ଭୁଶୁଡି ପଡିଥିଲା । ଲୋକେ କିଛି ଭାବିବା ପୂର୍ବାରୁ କୂଅ ଭିତରେ ଖସି ପଡିଥିଲେ । ମନ୍ଦିର ନିକଟରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ଏହି କୂଅ ବେଆଇନ ଭାବେ ଏଠାରେ ତିଆରି କରାଯାଇଛି । ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

Leave A Reply

Your email address will not be published.