ଶୀଘ୍ର ପୂରଣ ହେବ ଉଚ୍ଚ ଶିକ୍ଷା ବିଭାଗର ୫ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୀଘ୍ର ପୂରଣ ହେବ ଉଚ୍ଚ ଶିକ୍ଷା ବିଭାଗର ୫ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ । ଚଳିତ ବର୍ଷ ଉଚ୍ଚ ଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଭାଗ କହିଛି । ଏ ନେଇ ସବିଶେଷ ତାଲିକା ବିଭାଗ ପ୍ରସ୍ତୁତ କରିବା ସହ ଚଳିତ ବର୍ଷ ପାଇଁ ମାଷ୍ଟରପ୍ଲାନ୍‌‌ ପ୍ରସ୍ତୁତ କରିଛି । ଫଳରେ ଉଚ୍ଚଶିକ୍ଷା ବିଭାଗରେ ଖୁବଶୀଘ୍ର ଖାଲିଥିବା ବିଭିନ୍ନ ପଦ ପୂରଣ ହେବ ।

ଉଲ୍ଲେଖଯୋଗ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୫୪ହଜାରରୁ ଅଧିକ ପଦଗୁଡ଼ିକର ପୂରଣ ଲାଗି ସରକାରୀସ୍ତରରେ ବିଧିବଦ୍ଧ ଘୋଷଣା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସରକାରୀ, ଅନୁଦାନପ୍ରାପ୍ତ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ିକରେ ଖାଲିପଡ଼ିଥିବା ୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ ପୂରଣ ଲାଗି ଯୋଜନା କରିଛି । ଚଳିତ ବର୍ଷରେ ହିଁ ଏହି ପଦଗୁଡ଼ିକରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ଉଚ୍ଚଶିକ୍ଷା ବିଭାଗର ସୂଚନା ମୁତାବକ ଡିଗ୍ରୀ କଲେଜରେ ଖାଲିଥିବା ୩୮୩୧ଟି ଅଧ୍ୟାପକ ପଦ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ପାଇଁ ବିଭାଗ ଓପିଏସସି, ଏସଏସବିକୁ ଚିଠି କରାଯାଇସରିଛି । ଏଥିସହ ଆଉ କିଛି ପଦବୀ ଲାଗି ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦିଆଯିବ । ବିଭିନ୍ନ ସରକାରୀ କଲେଜଗୁଡ଼ିକରେ ଖାଲିପଡ଼ିଥିବା ୯୪୨ ଅଧ୍ୟାପକ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ଲାଗି ମଧ୍ୟ ଯୋଜନା ହୋଇଛି। ସେଥିମଧ୍ୟରୁ ୪୬୭ଟି ପଦ ପୂରଣ ଲାଗି ଓପିଏସସିକୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବଳକା ୪୭୫ ଟି ପଦ ପୂରଣ ଲାଗି ଏପ୍ରିଲ ମାସ ଶେଷ ସୁଦ୍ଧା ଓପିଏସସିକୁ ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

କହିରଖେ କି, ନିକଟରେ ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର ଦେଇଛନ୍ତି । ନିୟମିତ ହୋଇଛନ୍ତି ରାଜ୍ୟର ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକ । ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷକ ନିୟମିତ ହୋଇଛନ୍ତି । ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ । ଏହାଦ୍ବାରା ଉପକୃତ ହେବେ ୧୮ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟମିତ କରିବାକୁ ବହୁ ଦିନରୁ ଶିକ୍ଷକମାନେ ଦାବି କରୁଥିଲେ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରୁ ଫେରି ସମସ୍ୟା ସମ୍ପର୍କରେ ଆଲୋଚନା କରି ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାବି ପୂରଣ ହୋଇଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷକ ।

Leave A Reply

Your email address will not be published.