ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ୍‌ ବିଭାଗ, ଶୀଘ୍ର ଖୋଜିବାକୁ ଚିଠି ଲେଖିଲା ପ୍ରଶାସନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ପିଲାଳିଆମି ସାମ୍ନାକୁ ଆସୁଛି । ସମ୍ବେଦନଶୀଳ ପ୍ରସଙ୍ଗରେ ବି ସରାକର ଅତି ଖାମଖିଆଲ ଭାବେ ନେବା ରାଜ୍ୟବାସୀଙ୍କୁ ଆଶ୍ଟର୍ଯ୍ଯ କରିଛି । ଏହି କ୍ରମରେ ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କୋଟିଏ ପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ହଜିବା ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ୍‌ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି (୨୦୨୩ ଏପ୍ରିଲ ୧୮) ସବୁ ବିଭାଗକୁ ଚିଠି କରାଯାଇଛି। ଆଇନ୍‌ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ। ଯଦି ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଠିକ୍‌ ସମୟରେ ମିଳିବ, ତା’ହେଲେ ଜେଟିଏ ସେକ୍ସନରେ ତୁରନ୍ତ କରାଯାଉ ବୋଲି କୁହାଯାଇଛି। ଅନ୍ୟପଟରେ ଫାଇଲ ଯଦି ନମିଳୁଛି, ତା’ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ହୋଇଛି।

ପୂର୍ବରୁ ଓଡ଼ିଆଙ୍କ ଭାବାବେଗ ସହଲ ଜଡ଼ିତ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରର ଚାବି ହଜେଇଦେଇଛି ପ୍ରଶାସନ । ଆମ ପ୍ରଶାସନିକ ବ୍ୟବସ୍ଥା ଭିତରେ ଫାଇଲ ଖୋଜିବାର ଦୁର୍ଭାଗ୍ୟ ଯେଉଁ ମାନଙ୍କର ରହିଛି, ସେମାନେ ଭଲ ଭାବରେ ଜାଣନ୍ତି ସେ ପ୍ରକ୍ରିୟାଟି କେତେ ଜଟିଳ ଓ ଯନ୍ତ୍ରଣାଦାୟକ । ୧୯୮୫ରୁ ଆବଶ୍ୟକତା ନଥିବା ଗୋଟେ ଚାବି ଯଦି ହଜିଗଲା, ସେ ଚାବିକୁ ବହୁ ଖୋଜାଖୋଜି କରିଥିଲେ ହେଁ ଚାବିମିଳିନଥିଲା । ସେ ସମୟରେ ରତ୍ନଭଣ୍ଡାର ଚାବିକୁ ନେଇ ବହୁତ ତୁମ୍ବିତୋଫାନ ହୋଇଥିଲା ।  ମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ଭିତିରି ରତ୍ନଭଣ୍ଡାରର ଦୁଇଟି ଚାବି ରହିଛି। ସେଥିରୁ ଗୋଟେ ଏକଦା ପାଟ୍ଟଯୋଶୀ ମହାପାତ୍ର ଓ ଆରକ ଚାବିଟି ଗଜପତିଙ୍କ ପାଖେ ରହୁଥିଲା। କିନ୍ତୁ ୧୯୩୦ମସିହାରୁ ଦୁଇଟି ଯାକ ଚାବି ଗଜପତିଙ୍କ ଜିମା ରହୁଥିଲା, ଯାହାକି ୧୯୬୪ରୁ ବଦଳି ଯାଇଛି।

ମନ୍ଦିର ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ଯେଉଁ ସବୁ ଜଟିଳତା ରହିଛି, ଚାବି ହଜିବା ଘଟଣା ତାର ଏକ ପ୍ରତିଫଳନ ମାତ୍ର। ମନ୍ଦିର ପରିଚାଳନା କ୍ଷେତ୍ରରେ ଯେଉଁ ଆଇନ ପଚାଶ ଦଶକରେ ପ୍ରଣୟନ କରାଯାଇଥିଲା ସେ ଆଇନରେ ପରିବର୍ତ୍ତନ ନିତାନ୍ତ ଜରୁରୀ। (ଏବେ ସୁପ୍ରିମକୋର୍ଟ ମଧ୍ୟ ଏହି ଆଇନର ସଂଶୋଧନ ହେଉ ବୋଲି ପରାମର୍ଶ ଦେଇଛନ୍ତି) ୧୯୬୦ ରେ ଏହି ଆଇନ ପାଇଁ ଯେଉଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ତାହାର ମଧ୍ୟ ସଂଶୋଧନ ଆବଶ୍ୟକ। ପ୍ରଥମ କଥା ହେଉଛି, ପଚାଶ ଦଶକ ଓ ଆଜିର ସମୟ ଭିତରେ ମନ୍ଦିର ପରିଚାଳନା ବ୍ୟବସ୍ଥା ବହୁ ପରିମାଣରେ ବଦଳି ଯାଇଛି। ସେଇ ପରିବର୍ତ୍ତନକୁ ଆଖି ଆଗରେ ରଖି ଆଇନ ବଦଳିବା ଜରୁରୀ। ୨୦୦୩/୦୪ରେ ଯଦିଓ ଏହି ଆଇନରେ କିଛିଟା ସଂଶୋଧନ ଆସିଛି, ତାହା କେବଳ ପ୍ରଶାସନିକ ଢାଞ୍ଚା ପରିବର୍ତ୍ତନ ପାଇଁ। ଆଜିର ସମୟରେ ମନ୍ଦିର ପ୍ରଶାସନ ଓ ଏହାର ରେକର୍ଡ ତିନୋଟି କାର୍ୟାଳୟ ଦ୍ଵାରା ନିୟନ୍ତ୍ରିତ ହେଉଛି- ପୁରୀ ଜିଲ୍ଲାପାଳ, ମନ୍ଦିର ପ୍ରଶାସକ ଓ ରାଜ୍ୟ ସରକାରଙ୍କ ଆଇନ ବିଭାଗ। ସମୟକ୍ରମେ ଏହି ତିନୋଟି କାର୍ଯ୍ୟାଳୟକୁ ଗୋଟିଏ ବିଭାଗ ଅଧୀନରେ ରଖିବା ଜରୁରୀ।

Leave A Reply

Your email address will not be published.