କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ। ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ସମାପ୍ତ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ଲାଗି ଗର୍ଭଗୃହକୁ ପ୍ରବେଶ କରିବେ ।

ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯିବ । ବନକଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନୀତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି। ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ଏହାଦ୍ବାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ ଓ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି। ପ୍ରତ୍ୟେକ ମାସରେ ଏହି ନୀତି ଦୁଇ ଥର କରାଯାଉଥିବା ବେଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କର ଶ୍ରୀମୁଖ ସିଂହାର କରିଥାନ୍ତି।

ଏପଟେ ଆଜି, ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କୋଟିଏ ପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ହଜିବା ଭ୍ରୂକୁଞ୍ଚନ ସୃଷ୍ଟି କରିଛି।  ଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ୍‌ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି (୨୦୨୩ ଏପ୍ରିଲ ୧୮) ସବୁ ବିଭାଗକୁ ଚିଠି କରାଯାଇଛି। ଆଇନ୍‌ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ। ଯଦି ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଠିକ୍‌ ସମୟରେ ମିଳିବ, ତା’ହେଲେ ଜେଟିଏ ସେକ୍ସନରେ ତୁରନ୍ତ କରାଯାଉ ବୋଲି କୁହାଯାଇଛି। ଅନ୍ୟପଟରେ ଫାଇଲ ଯଦି ନମିଳୁଛି, ତା’ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ହୋଇଛି।

Leave A Reply

Your email address will not be published.