ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିଗ୍ ବି ଅମିତାଭଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବଚ୍ଚନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୟୁଟ୍ୟୁବ ଚ୍ୟାନେଲ(ଟାବଲଏଡ) ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତ । ଉକ୍ତ ୟୁଟ୍ୟୁବ ଟାବଲଏଡ ୧୧ ବର୍ଷୀୟା ଆରାଧ୍ୟାଙ୍କ ସ୍ୱାସ୍ଥ୍ୟ ଓ ଜୀବନକୁ ନେଇ ମିଥ୍ୟା ଖବର ବା ଫେକ୍ ନ୍ୟୁଜ ପ୍ରସାରଣ କରିଥିଲା । ଏହାକୁ ବିରୋଧ କରି ସେ ସେହି ୟୁଟ୍ୟୁବ ଟାବଲଏଡ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଏହି ଆବେଦନ ଉପରେ ଶୁଣାଣି ହେବ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ନାବାଳିକା ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଖବର ପ୍ରସାରଣ ପାଇଁ ସେ ଉକ୍ତ ୟୁଟ୍ୟୁବ ଟାବଲଏଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ପହଂଚିଛନ୍ତି । ଏଭଳି ଖବର ଉପରେ ରୋକ୍ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟର ବିଚାରପତି ହରିଶଙ୍କରଙ୍କ ଖଣ୍ଡୀପଠ ଆଜି ଆରାଧ୍ୟାଙ୍କ ଆବେଦନର ଶୁଣାଣି କରିବେ । ଅନ୍ୟପଟେ ବଚ୍ଚନ ପରିବାର ପକ୍ଷରୁ ଏହି ମାମଲା ସମ୍ପର୍କରେ ଏ ଯାଏଁ କୌଣସି ପ୍ରକାର ବିବୃତ୍ତି କିମ୍ବା ପ୍ରତିକ୍ରିୟା ଦିଆଯାଇ ନାହିଁ । ଐଶ୍ୱର୍ଯ୍ୟା ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ଅନେକ ସମୟରେ ଲାଇମ ଲାଇଟରେ ରହିଥାନ୍ତି ଏବଂ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି । ‘ବବ୍ ବିଶ୍ୱାସ’ ଫିଲ୍ମର ପ୍ରମୋସନ ବେଳେ ଝିଅକୁ ଲଗାତାର ଟ୍ରୋଲ କରିବା ନେଇ ଅଭିଷେକ ବଚ୍ଚନ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିଲେ । ସୋସିଆଲ ମିଡିଆରେ ଆରାଧ୍ୟାଙ୍କୁ ମିଳୁଥିବା ନକରାତ୍ମକ କମେଣ୍କଟରେ ପ୍ରତିକ୍ରିୟା ଦେଇ ଅଭିଷେକ କହିଥିଲେ, ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ମୁଁ ଏହାକୁ କେବେ ବି ସହ୍ୟ କରିବି ନାହିଁ । ଠିକ୍ ଅଛି ମୁଁ ଜଣେ ପବ୍ଲିକ ଫିଗର ହେଲେ ମୋ ଝିଅ ଏ ସବୁଠୁ ଦୂରରେ । ଯଦି ତୁମମାନଙ୍କୁ କିଛି କହିବାର ଅଛି ତାହାହେଲେ ମୋ ମୁହଁରେ କୁହ ବୋଲି କହିଥିଲେ ।