ଝାରସୁଗୁଡ଼ା ଉପନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ଯାଞ୍ଚ, ୨୪ରେ ନାମାଙ୍କନ ପ୍ରତ୍ୟାହାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ ୧୪ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ‌ଏମାନେ ମୋଟ ୨୨ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରିଥିଲେ ।  ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଶୁକ୍ରବାର ଯାଞ୍ଚ କରାଯିବ । ଆସନ୍ତା ୨୪ ତାରିଖରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

ଅନ୍ୟପଟେ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ଠିକ୍‌ ଅନୁପାଳନ ହେଉଛି କି ନାହିଁ ସେସବୁର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଆଇଏଏସ୍‌ ଡ. ଅହମ୍ମଦ ଇକବାଲ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ବ ସେବା ଅଧିକାରୀ ଶିତୋଲେ ସତୀଶ ବିଶ୍ୱନାଥ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ନିର୍ବାଚନ ସଂକ୍ରାନ୍ତ କୌଣସି ଅଭିଯୋଗ ଥିଲେ ଏହି ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ପ୍ରକୋଷ୍ଠରେ ଅଥବା ମୋବାଇଲ ନମ୍ବରରେ ଯୋଗାଯୋଗ କରିଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉପନିର୍ବାଚନ ପାଇଁ ‘ସିଭିଜିଲ’ ନାମକ ଏକ ଆପ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଞ୍ଚ କରାଯାଇଥିବା ନେଇ ମଧ୍ୟ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ଏପଟେ ଆଜି ଝାରସୁଗୁଡା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଦ୍ଧିବଦ୍ଧ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି କାର୍ଯ୍ୟାଳୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତିରେ ବିଦ୍ଧିବଦ୍ଧ ବିଜେଡିରେ ଯୋଗଦେଇଛନ୍ତି ମହେନ୍ଦ୍ର ନାୟକ । ମହେନ୍ଦ୍ରଙ୍କ କଂଗ୍ରେସ ଛାଡ଼ିବା ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି, ଧାମନଗର, ବାଲେଶ୍ୱର ପରିସ୍ଥିତି ଅଲଗା ଥିଲା ଏବେ ଝାରସୁଗୁଡା ରେ ପରିସ୍ଥିତି ବଦଳି ଯାଇଛି ।  ଆମ ପ୍ରାର୍ଥୀ ତରୁଣ ପାଣ୍ଡେ ମାଟିର ପୁଅ, ତାଙ୍କ ନାଁରେ କୌଣସି ଅଭିଯୋଗ ନାହିଁ । ପୂର୍ବତନ ବିଧାୟକ ବିରେନ ପାଣ୍ଡେ ବହୁତ ବିକାଶ କାର୍ଯ୍ୟକ୍ରମ କରିଛନ୍ତି ।  କଂଗ୍ରସ ଦଳ ପକ୍ଷରୁ ତାଙ୍କୁ ତାଙ୍କୁ ପ୍ରାତ୍ରୀ କରାଗଲା । ସେଠି ବାହାର ଲୋକ  ପ୍ରାର୍ଥୀ ହେଉଥିଲେ । କିନ୍ତୁ ଏଥର ଝାରସୁଗୁଡାରେ କଂଗ୍ରେସ ଭଲ ମାର୍ଜିନରେ ଭୋଟ ହାତେଇବ ।  କିଏ କଂଗ୍ରେସ ଛାଡି କେଉଁଠି ଦଳକୁ ଗଲେ କିଛି ଫରକ ପଡ଼େନି । କାଲି ମହେନ୍ଦ୍ର ନାୟକ ଶରତ ପଟ୍ଟନାୟକଙ୍କ ସଭାରେ ଥିଲେ ଆଜି ବିଜେଡିରେ ମିଶିଗଲେ । ମହେନ୍ଦ୍ର ମାତ୍ର ୧୮ ହଜାର ଭୋଟ ପାଇଥିଲେ ସେଇଟା ତାଙ୍କର ବ୍ୟକ୍ତିଗତ ଭୋଟ ନୁହେଁ । ବିଜେଡିରେ ମିଶିଲେ ହଇରାଣ ହେବେ । କଂଗ୍ରେସ ଝାରସୁଗୁଡାରେ ଜିତିବା ପାଇଁ ଲଢେଇ କରିବ ।  ଆଜିର ଦିନରେ କଂଗ୍ରେସ ଦୁଇ ନମ୍ବରରେ ଅଛି । ମହେନ୍ଦ୍ର ନାୟକ କଂଗ୍ରେସରୁ ପଳେଇଲେ ଲୋକେ ବହୁତ ଖୁସି, ତାଙ୍କର ଭୋଟ ନାହିଁ ତାଙ୍କ ଯୋଗୁଁ ଭୋଟ ମାଇନସ ହୋଇଥିଲା ।

Leave A Reply

Your email address will not be published.