ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି ।ଶଙ୍ଖ ଭବନରେ ଆଜି ବିଜେପିର ସକ୍ରିୟ ନେତା ତ୍ରିନାଥ ଗୁଆଲ ବିଜେଡିରେ ସାମିଲ ହୋଇଛନ୍ତି । ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ତ୍ରିନାଥ । ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ତ୍ରିନାଥ । ଏବେ ଝାରସୁଗୁଡ଼ା ବାର କାଉନ୍ସିଲ ସଭାପତି ଅଛନ୍ତି ତ୍ରିନାଥ । ଶଙ୍ଖ ଭବନ ଲୋକାର୍ପିତ ହେବା ପରେ ଏହା ପ୍ରଥମ ମିଶ୍ରଣ ପର୍ବ । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡିର ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ଉପରନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ସାରଦା ନାୟକ ଉପସ୍ଥିତ ଥିଲେ । ବିଜେଡିରେ ସାମିଲ ହେବା ପରେ ତ୍ରିନାଥ କହିଛନ୍ତି ବିଜେଡିର ନୀତି ଓ ଆଦର୍ଶ ମୋତେ ଆକୃଷ୍ଟ କରିଛି । ଆଜି ମୋ ପାଇଁ ସୌଭାଗ୍ୟର ଦିନ । ଦଳ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବି । ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ଗ୍ରହଣ କରିବି ବୋଲି କହିଛନ୍ତି ତ୍ରିନାଥ ।
ଏପଟେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ ୯ ଜଣ ପ୍ରାର୍ଥୀ । ଏଥିଲାଗି ସମୁଦାୟ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିବାବେଳେ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି | ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ରହିଛନ୍ତି। ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ,ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ପୂବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଧାୟକ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଗତ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାପୂର୍ବରୁ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ଏପ୍ରିଲ ୧୮ରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ | ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ଭୋଟ୍ ପଡିବାକୁ ଥିବାବେଳେ, ମେ’ ୧୩ରେ ଆସିବ ରେଜଲ୍ଟ ।