ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୧୨ ଦିନ ରହିଥିଲା ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଏପ୍ରିଲ୍ ୨ରୁ ୧୩ ତାରିଖ ଯାଏ ଓଡ଼ିଶାରେ ରହିଥିଲା । ପାଖାପାଖି ୧୨ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଡ୍ଡୁ ମୁସଲିମ୍ ରହିବା ପରେ ଏକ ପୋଷାକ ଭର୍ତ୍ତି ବ୍ୟାଗ୍ ଛାଡ଼ି ଦେଇ ସେ ପଳାଇଥିବା ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ ପାଇଛି । ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାନକୁ ପୋଲିସ ପଚରାଉଚରା କରିଛି । ପୋଲିସ ନଜରରୁ ବର୍ତ୍ତିବା ଲାଗି ଗୁଡ୍ଡୁ ମୁସଲିମ୍ ଦାଢ଼ି ବଢ଼ାଇ ଦେଇଥିବା ରାଜା ଖାନ ସୂଚନା ଦେଇଛି । ଗୁଡ୍ଡୁ ମୁସଲିମ୍ ମୀରଟ, ଆଜମେର, ଝାନସୀ, ନାଶିକ, ପୁଣେ ଦେଇ ବରଗଡ଼ ଆସିଥିବା ସୂଚନା ପାଇଛି ୟୁପି ଏସଟିଏଫ୍ । ଏବେ ଗୁଡ୍ଡୁ ମୁସଲିମ୍ ଛତିଶଗଡ଼ରେ ଛପିଥିବା ଆଶଙ୍କା କରାଯାଉଛି ।
ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିଲା ବୋଲି । ତେବେ ପୋଲିସ ଏ ଖବରକୁ ଖଣ୍ଡନ କରିଥିବା ବେଳେ ପରେ ୟୁପି ଏସଟିଏଫ ବରଗଡ଼ ଆସିବା ପରେ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିଥିବା ସ୍ପଷ୍ଟ ହୋଇଥିଲା । ଅତିକ ଅହମ୍ମଦ ଗ୍ୟାଙ୍ଗର ଫେରାର୍ ସଦସ୍ୟଙ୍କ ମଧ୍ୟରୁ ଗୁଡ୍ଡୁ ମୁସଲିମକୁ ସବୁଠୁ ଘାତକ କୁହାଯାଏ । ଗୁଡ୍ଡୁ ମୁସଲିମ୍ କାହାକୁ ମାରିବା ଲାଗି ବନ୍ଧୁକ ବଦଳରେ ବୋମାକୁ ବେଶୀ ପସନ୍ଦ କରେ । ପ୍ରୟାଗରାଜରେ ଗତ ଫେବ୍ରୁଆରି ୨୪ ତାରିଖରେ ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାଘଟଣାର ୧୦ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟତମ କୁହାଯାଉଥିବା ଗୁଡ୍ଡୁ ମୁସଲିମ୍ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ପହଞ୍ଚିଥିଲା। ଲୋକେସନ୍ ଟ୍ରାକ୍ କରି ଉତ୍ତର ପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଥିଲା। କିନ୍ତୁ ଏସ୍ଟିଏଫ୍ ତାପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଛି।
ଉମେଶ ପାଲ୍ ହତ୍ୟାଘଟଣାର ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇ ସାରିଥିବା ବେଳେ ଗୁଡ୍ଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗୁଡ୍ଡୁ ମୁସଲିମ ଜଣେ ବୋମା ବିଶେଷଜ୍ଞ ଭାବେ ବେଶ ପରିଚିତ ବୋଲି ପୁଲିସ କହିଛି। ପ୍ରୟାଗରାଜରେ ସେ ଉମେଶ ପାଲଙ୍କୁ ହତ୍ୟା କରିବା ପୂର୍ବରୁ ପ୍ରଥମେ ବୋମା ମାଡ଼ କରିଥିଲା। ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ପୁଲିସ୍ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ଅତିକଙ୍କ ଭାଇ ଅସରଫ ଗୁଳିମାଡ଼ରେ ପ୍ରାଣ ହରାଇବାର ଠିକ ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ଗୁଡ୍ଡୁ ମୁସଲିମର ନାଁ ମଧ୍ୟ ନେଇଥିଲେ। ସେ କହିଥିଲେ ଯେ “ମୁଖ୍ୟ କଥା ହେଲା ଗୁଡ୍ଡୁ ମୁଲସଲି।” ବାସ ସେ ଏତିକି କହିଥିବା ବେଳକୁ ଗତ ଶନିବାର ରାତି ପ୍ରାୟ ୧୦ଟାରେ ସାମ୍ବାଦିକ ବେଶଧାରୀ ୩ ଜଣ ଯୁବକ ଅତିକ ଓ ଅସରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ଉତ୍ତର ପ୍ରଦେଶ ଏସଟିଏଫ ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିବା ଅତିକଙ୍କ ପୁଅ ଅସଦ ଓ ଗୁଲାମକୁ କରିଥିଲା ଏନକାଉଣ୍ଟର।