ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅପରେସନ କାବେରି ଦ୍ବାରା ସୁଦାନରୁ ସ୍ବଦେଶ ଫେରୁଛନ୍ତି ୨୭୮ ଭାରତୀୟ । ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍ ସୁମେଦ୍ଧା ସାଉଦି ଆରବର ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସମସ୍ତେ ସାଉଦିରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାପକ ହିଂସା ଯୋଗୁ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷତି ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଛନ୍ତି। ସୋମବାର ଏହି ଅପରେସନ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚି ସାରିଛନ୍ତି। ଆହୁରି ଅନେକ ପୋର୍ଟ ଅଭିମୁଖେ ଆସୁଛନ୍ତି।
ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦୁଇଟି ବିମାନ ଓ ଜାହାଜ ପ୍ରସ୍ତୁତ ହୋଇ ରହିଥିବା ସେ କହିଥିଲେ। ତାଙ୍କ ସୂଚନାର ଦିନକ ପରେ ଆଜି ୨୭୮ ଭାରତୀୟଙ୍କୁ ଧରି ଆଇଏନଏସ୍ ସୁମେଦ୍ଧା ଯାତ୍ରା ଆରମ୍ଭ କରିଛି। ଅପରେସନ କାବେରି ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଦାନରେ ଦେଖାଯାଇଥିବା ହିଂସାତ୍ମକ ସ୍ଥିତିର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ସେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନଙ୍କ ତତ୍ତ୍ୱାବଧାନରେ ଅପରେସନ କରିବାକୁ କହିଥିଲେ। ସୋମବାର ଠାରୁ ଅପରେସନ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ଭାରତ ସରକାର ସ୍ୱତନ୍ତ୍ର ଅପରେସନ ଦ୍ୱାରା ୟୁକ୍ରେନ ଓ ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିଥିଲେ। ଏବେ ପୁଣିଥରେ ଆଉ ଗୋଟିଏ ଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ କାବେରି ଆରମ୍ଭ ହୋଇଛି। ସୁଦାନରେ ବର୍ତ୍ତମାନ ଆର୍ମି ଓ ଅର୍ଦ୍ଧସାମାରିକ ରାପିଡ ସର୍ପୋଟ ଫୋର୍ସ(ଆଏସଏଫ) ମଧ୍ୟରେ କ୍ଷମତା ଦଖଲ ପାଇଁ ଲଢ଼େଇ ଚାଲିଛି। ନୂଆ ବେସାମାରିକ ସରକାର ଗଠନ ପାଇଁ ପ୍ରସ୍ତାବ ଆସିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିଯୋଗୁ ପୂରା ଦେଶରେ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଛି।
ସେପଟେ ସୁଦାନର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଯୋଗୁ ଅଦ୍ୟାବଧି ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ସେଠାରେ ପ୍ରାୟ ୪୦୦୦ ଭାରତୀୟ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ସୁଦାନର ସଶସ୍ତ୍ର ସେନା ମୁଖ୍ୟ ଆବଦେଲ ଫତା ଅଲ୍-ବୁହାନ ଓ ଅର୍ଦ୍ଧସାମରିକ ରାପିଡ୍ ସପର୍ଟ ଫୋର୍ସେସ୍ (ଆର୍ଏସ୍ଏଫ୍) କମାଣ୍ଡର ମହମ୍ମଦ ହମଦାନ ଡାଗାଲୋ ‘ହେମେତ୍ତି’ ଏବେ ଦେଶରେ ନାଗରିକ ଶାସନ ପୁନରାବର୍ତ୍ତନକୁ ନେଇ ଯୁଦ୍ଧରେ ଦୁଇ ପକ୍ଷର ନେତୃତ୍ବ ନେଉଛନ୍ତି। ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ଉଦ୍ବେଗ ପ୍ରକାଶ କରିଛନ୍ତି। ୧୦ ନିୟୁତ ଲୋକଙ୍କ ନିବାସସ୍ଥଳୀ ରାଜଧାନୀ ଖାରତୁମରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଭୟବିତ ହେଇ ସେଠାରୁ ଲୋକମାନେ ଗଣପଳାୟନ କରିଛନ୍ତି।