ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ନିର୍ବାଚନୀ ଇସ୍ତାହାର ଆଧାରରେ କେଉଁ କେଉଁ ପ୍ରତିଶ୍ରୁତି ପୂରଣ ହୋଇଛି, ତାହା ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବେ ସରକାର । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସବୁ ମନ୍ତ୍ରୀଙ୍କୁ ଚିଠି ଲେଖି ବିଭାଗର ହିସାବ ଦେବାକୁ କହିଛନ୍ତି । ବିଭାଗରେ ୫ଟି ପ୍ରମୁଖ କାର୍ଯ୍ୟକ୍ରମ ସମେତ ଫାଇଭ-ଟି ଓ ମୋ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ’ ୨୨ତାରିଖରୁ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା ନବୀନ କରିବେ ବୋଲି ଜଣାପଡିଛି । ତେବେ ପ୍ରତ୍ୟେକ ବିଭାଗର ଟିକିନିଖି କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାବେଳେ କାଗଜକଲମରେ ଥିବା ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି । ସବୁ ବିଭାଗର ସମସ୍ତ କାର୍ଯ୍ୟକୁ ତୃତୀୟ ମହଲା ‘ହାଇଜ୍ୟାକ୍’ କରିସାରିଥିବାବେଳେ ପଂଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ନବୀନଙ୍କ ଏହି ସମୀକ୍ଷା କରିବେ।
କେଉଁ ଦିନ, କେଉଁ ବିଭାଗ ଓ ମନ୍ତ୍ରୀଙ୍କର ସମୀକ୍ଷା ହେବ ତାହାର ବି ତାଲିକା କରାଯାଇଛି । ମେ’ ୨୨ରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କରିବେ । ମେ’ ୨୩ରେ ରିପୋର୍ଟ କାର୍ଡ ଦେବେ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଳ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ମେ’ ୨୪ରେ ରିପୋର୍ଟ କାର୍ଡ ଉପସ୍ଥାପିତ କରିବେ । ସେହିପରି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମେ’ ୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବେ।
ମେ’ ୨୬ରେ ରିପୋର୍ଟ କାର୍ଡ ଦେବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମେ’ ୨୭ରେ ରିପୋର୍ଟ କାର୍ଡ ପ୍ରଦାନ କରିବେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମେ’ ୨୯ରେ ରିପୋର୍ଟ କାର୍ଡ ଦେବେ । ଅପରପକ୍ଷରେ ମେ’ ୩୦ରେ ରିପୋର୍ଟ କାର୍ଡ ଦେବେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମେ’ ୩୧ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ସେହିପରି ଜୁନ ପହିଲାରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରିପୋର୍ଟ ଉପସ୍ଥାପିତ କରିବେ । ଏହି ସମୀକ୍ଷା କାଳରେ ନବୀନ କିଛି ନୂଆ ଯୋଜନା ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।