ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ରହ୍ମଗିରିରୁ ଜବତ ହେଲା ବିପୁଳ ପରିମାଣରେ ଗଂଜେଇ ସହ ବିସ୍ଫୋରକ । ବାପ ଓ ପୁଅ ବାନ୍ଧିଲା ବ୍ରହ୍ମଗିରି ପୋଲିସ । କିଛି ବର୍ଷ ପୂର୍ବରୁ ବେଆଇନ୍ ଭାବେ ଗଂଜେଇ ବେପାର କୋରାପୁଟ, ମାଲକାନଗିରି, ଗଂଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚାଲୁଥିଲା । ଏବେ କିନ୍ତୁ ଏହି ବ୍ୟବସାୟ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଚାଲିଛି । ଆଜି ପୁରୀ ଏସଟିଏଫ୍ ଓ ବ୍ରହ୍ମଗିରି ପୁଲିସ ମିଳତ ଭାବେ ବ୍ରହ୍ମଗିରି କଲେଜରୋଡ଼ର ଏକ ଘର ଉପରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ଏକ ଘର ଭିତରୁ ୬ କୁଇଣ୍ଟାଲ ଗଂଜେଇ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଗଂଜେଇ କାରବାର ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ପାଣି ଓ ପୁଅ ଶତ୍ରୁଜିତ । ବିଜୟ ପାଣି ଓ ପୁଅ ଶତ୍ରୁଜିତ କଲେଜରୋଡର ଏକ ଘରେ ଗଂଜେଇ ରଖି ଏଠାରେୁ ଅନ୍ୟ ସ୍ଥାନକୁ ଯୋଗାଉ ଥିବା ନେଇ ପୁଲିସ ଓ ଏସ୍ଟିଏଫ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ତଥ୍ୟ ଆଧାରରେ ଏକ ସ୍ବତନ୍ତ୍ର ଟିମ୍ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରିଥିଲେ ।
ଚଢ଼ଉ ବେଳେ ଘର ଭିତରୁ ୬ କୁଇଣ୍ଟାଲ ଗଂଜେଇ ମିଳିଥିଲା । ପୁଲିସ ଗଂଜେଇ ଚାଲାଣ ପାଇଁ ବ୍ୟବହାର ହେଉ ଥିବା ୨ଟି କାର ଜବତ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ୩ଟି ମୋବାଇଲ ଜବତ କରିଛି ପୁଲିସ । ଉଭୟ ବାପ ବିଜୟ ପାଣି ଓ ପୁଅ ଶତ୍ରୁଜିତ ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା କହିଛି ବ୍ରହ୍ମଗିରି ପୋଲିସ ।