କେଉଁ କାରଣ ପାଇଁ ହେଲା ଏଭଳି ଭୟଙ୍କର ରେଳ ଦୁର୍ଘଟଣା?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ରେଲୱେ ବୋର୍ଡ ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ସେଦିନ କେମିତି ଦୁର୍ଘଟଣା ଘଟିଥିଲା, ତାହା ବର୍ଣ୍ଣନା କରିଛନ୍ତି ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା । ରେଳବାଇ ବୋର୍ଡ କହିଛି, ଭୟାବହ ଦୁର୍ଘଟଣା ଘଟିଯାଇଥିବା ବାଲେଶ୍ବର ବାହାନଗା ବଜାର ଷ୍ଟେସନ୍‌ ହେଉଛି ୪ ଲାଇନ୍‌ବିଶିଷ୍ଟ ଷ୍ଟେସନ୍‌ ।ଏହା ମଝିରେ ୨ଟି ମୁଖ୍ୟ ଲାଇନ୍‌ ଏବଂ ଉଭୟ ପାର୍ଶ୍ବରେ ୨ଟି ‘ଲୁପ୍‌’ ଲାଇନ୍‌ ରହିଛି ।

ଉଭୟ ‘ଲୁପ୍‌’ ଲାଇନରେ ଲୁହାପଥର ଭରା ମାଲବାହୀ ଗାଡ଼ି ଅଟକି ଥିଲେ ।’ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌’ ଚେନ୍ନାଇରୁ ହାଓଡ଼ା ଅଭିମୁଖେ ଯାଉଥିଲା ଏବଂ ‘ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌’ ହାୱଡ଼ାରୁ ଆସୁଥିଲା। ଉଭୟ ମୁଖ୍ୟ ଲାଇନ୍‌ରେ ‘ଗ୍ରିନ୍‌ ସିଗ୍‌ନାଲ୍‌’ (ସବୁଜବତି) ଜଳୁଥିଲା।

କରମଣ୍ଡଳ ଏକ୍ସପ୍ରେସ୍‌ ଘଣ୍ଟାପ୍ରତି ୧୨୮ କିଲୋମିଟର୍‌ ବେଗରେ ଯାଉଥିବା ବେଳେ ‘ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଘଣ୍ଟାପ୍ରତି ବେଗ ଥିଲା ୧୨୬ କିଲୋମିଟର। ସେମାନଙ୍କର ‘ସ୍ପିଡ୍‌ ଲିମିଟ୍‌’ ଥିଲା ୧୩୦, ତେଣୁ କେହି ‘ଓଭର୍‌ସ୍ପିଡ୍‌’ରେ ଯାଉ ନ ଥିଲେ ବୋଲି ରେଳବାଇ ବୋର୍ଡର ‘ଅପରେସନ୍‌ ଆଣ୍ଡ୍‌ ବି.ଡି.’ର ସଦସ୍ୟା ଜୟା ବର୍ମା ସିହ୍ନା କହିଛନ୍ତି। ସେ କହିଛନ୍ତି, କୌଣସି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା । ଏହା ଏକ ଲୁପ୍ ଲାଇନରେ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌କୁ ଧକ୍କା ଦେଇଥିଲା ।

କରମଣ୍ଡଳ ଧକ୍କାରେ ଲୁହା ପଥର ବୋଝେଇ ଟ୍ରେନ୍‌ଟି ହଲଚଲ ହୋଇନଥିଲା । ବୋଧହୁଏ ଲୁହା ପଥର ବୋଝେଇ ହୋଇଥିବାରୁ ଅଧିକ ଓଜନ ହେତୁ ତାହା ହଲି ନଥିଲା । କିନ୍ତୁ କରମଣ୍ଡଳର ବଗି ଗୁଡ଼ିକ ବିକ୍ଷିପ୍ତ ହୋଇ ଏଣେତେଣେ ପଡ଼ିଥିଲା । କରମଣ୍ଡଳର କିଛି ବଗି ଯାଇ ତୃତୀୟ ଲାଇନରେ ପଡ଼ିଥିଲା ଯେଉଁଥିରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା ।

କରମଣ୍ଡଳର କିଛି ବଗି ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗିରେ ମାଡ଼ ହୋଇଥିଲା । ତେଣୁ ସିଗନାଲ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏମିତି ହୋଇଛି ବୋଲି ସେ କହିଛନ୍ତି । ଜୟା ବର୍ମା ସିହ୍ନା ପ୍ରେସମିଟରେ ବାରମ୍ବାର କହିଥିଲେ ଯେ କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି ।

ବର୍ତ୍ତମାନ ରେଳୱେ କମିଶନର ସେଫଟି କମିଶନରଙ୍କ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୂରା ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ। ଉଲ୍ଲେଖଥାଉ କି, ରେଳୱେ ବୋର୍ଡର ପ୍ରେସମିଟ ପୂର୍ବରୁ ବାହାନଗାରେ କ୍ୟାମ୍ପ କରି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ।

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଅନ୍ୟପଟେ ଜୟା ବର୍ମା ସିହ୍ନା ଆହୁରି କହିଛନ୍ତି ଯେ, କହିଛନ୍ତି, ହେଲପ ଲାଇନ ନମ୍ବର ୧୩୯ କାମ କରୁଛି । ଏହି ନମ୍ବରରେ ମୃତାହତଙ୍କ ସଂପର୍କୀୟ ଯୋଗାଯୋଗା କରିପାରିବେ । ୧୩୯ରେ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.