ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଶାରେ ୯୦ ପଇସା ଅଧିକ ବିଜୁଳି ବିଲ୍ ଦେଉଛନ୍ତି ଉପଭୋକ୍ତା। ଗୋଟେପଟେ ଘନ ଘନ ବିଦ୍ୟୁତ୍ କାଟ୍କୁ ନେଇ ସାରା ରାଜ୍ୟରେ ଆବଣ୍ଟନ କଂପାନିଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଠିକ୍ ଏମିତି ସମୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନେ ନିରବଚ୍ଛିନ୍ନ ବା ଗୁଣାତ୍ମକ ବିଦ୍ୟୁତ୍ ସେବା ତ ପାଉନାହାନ୍ତି, ବରଂ ମହାରାଷ୍ଟ୍ର, ଆସାମ ଓ ମିଜୋରାମକୁ ଛାଡ଼ିଦେଲେ ସବୁଠାରୁ ମହଙ୍ଗା ବିଦ୍ୟୁତ୍ ମୂଲ୍ୟ ପୈଠ କରିଆସୁଛନ୍ତି। ଭାରତର ଉପଭୋକ୍ତାମାନେ ପୈଠ କରୁଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟ ଠାରୁ ୟୁନିଟ୍ ପିଛା ୯୦ ପଇସା ଅଧିକ। ଏକଥା ଆମେ କହୁନାହୁଁ, ସଦ୍ୟ ପ୍ରକାଶିତ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାୱାର ଫିନାନ୍ସ କର୍ପୋରେସନ (ପିଏଫ୍ସି) ୨୦୨୧-୨୨ ବର୍ଷ ରିପୋର୍ଟରୁ ଏହା ଜଣାପଡ଼ିଛି। ଅର୍ଥାତ୍ ଓଡ଼ିଶାର ଉପଭୋକ୍ତା ସୁଲଭ ମୂଲ୍ୟରେ ବିଦ୍ୟୁତ୍ ପାଇବା ପାଇଁ ୧୯୯୫ ମସିହାରେ ଯେଉଁ ସଂସ୍କାର ଅଣାଯାଇଥିଲା, ତାହା ଫେଲ୍ ମାରିଛି। ଓଲଟା ଘରୋଇକରଣ ଯନ୍ତ୍ରଣା ଅସହ୍ୟ ହେଲାଣି। ଅଧିକ ମୂଲ୍ୟ ଦେଇ ଖରାପ ସେବା ପାଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ରିପୋର୍ଟ ଉପରେ ସରକାର କିମ୍ବା ଓଇଆର୍ସି (ଓଡ଼ିଶା ବିଦ୍ୟୁତ୍ ନିୟମ ଆୟୋଗ) ତନାଘନା କରୁନାହାନ୍ତି କି କାହିଁକି ଉପଭୋକ୍ତା ଅଧିକ ବିଲ୍ ପୈଠ କରିବେ ସେ ସଂକ୍ରାନ୍ତ କାରଣ ଖୋଜିବା ଲାଗି ଉଦ୍ୟମ ହୋଇନାହିଁ।
ଅନ୍ୟପଟରେ ଏହି ରିପୋର୍ଟ ଆଧାରରେ ଶକ୍ତି ସମୀକ୍ଷକ ଅନ୍ୟ ଯେଉଁ ପ୍ରସଙ୍ଗଟି ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି, ତାହା ହେଲା- ଓଡ଼ିଶାରେ ଆୟୋଗ ବିଜ୍ଞପିତ କରୁଥିବା ଖୁଚୁରା ବିଦ୍ୟୁତ୍ ମୂଲ୍ୟ ସହିତ ଟାରିଫ୍ ଆଦେଶରେ ଅନୁମୋଦିତ ହେଉଥିବା ହାରାହାରି ବିଦ୍ୟୁତ୍ ମୂଲ୍ୟର କୌଣସି ସଂପର୍କ ନାହିଁ। ଅର୍ଥାତ୍ ଫି ବର୍ଷ ବିଦ୍ୟୁତ୍ ମୂଲ୍ୟ ନିର୍ଧାରଣ ଲାଗି ଆୟୋଗ ଯେଉଁ ୧୨୦ ଦିନର ଶୁଣାଣି କରୁଛନ୍ତି ତାହା ପ୍ରହସନ ବୋଲି ଏହି ମହଲର ମତ। ପୂର୍ବରୁ ୨୦୧୯-୨୦ ବର୍ଷ ଲାଗି ପିଏଫ୍ସି ରିପୋର୍ଟ ପ୍ରକାଶିତ ହୋଇଥିଲା। ୨୦୨୦-୨୧ ଥିଲା କରୋନା ବର୍ଷ। ଏଣୁ ଏହି ବର୍ଷ ପ୍ରକାଶିତ ରିପୋର୍ଟଟି ଅନ୍ୟ ସାଧାରଣ ବର୍ଷର ରିପୋର୍ଟ ସହିତ ତୁଳନୀୟ ନୁହେଁ। ଏଣୁ ୨୦୨୧-୨୨ ବର୍ଷ ପାଇଁ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ୍ ଆବଣ୍ଟନ ସଂସ୍ଥାର କାର୍ଯ୍ୟଦକ୍ଷତା ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।