ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅହମଦାବାଦରେ ହୋଟେଲ୍ ରୁମ୍ ଦର ୧୦ ଗୁଣା ବୃଦ୍ଧି । ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍ ପାଇଁ ଖେଳସୂଚୀ ଘୋଷଣା ହେବା ପରେ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଅହେତୁକ ବୃଦ୍ଧି ପାଇଛି। ସବୁଠୁ ଅଧିକ ଚାହିଦା ରହୁଥିବା ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ପ୍ରସାରଣକାରୀ ସଂସ୍ଥା ବିଜ୍ଞାପନ ସୂତ୍ରରୁ ଅଧିକ ଆୟ କରିବା ଲକ୍ଷ୍ୟରେ ଥିବା ବେଳେ ସ୍ଥାନୀୟ ହୋଟେଲ୍ମାନେ ଏହି କ୍ରେଜ୍ର ଫାଇଦା ନେବା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରିଦେଲେଣି। ଅକ୍ଟୋବର ୧୫ରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ପାଇଁ ଅହମଦାବାଦର ହୋଟେଲ୍ଗୁଡ଼ିକରେ ରୁମ୍ ବୁକିଂ ଦରରେ ପାଖାପାଖି ୧୦ ଗୁଣା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ହୋଟେଲ୍ ରୁମ୍ ବୁକ୍ କରୁଥିବା ୱେବସାଇଟ୍ ଗୁଡ଼ିକରେ ଏହି ଦିନ ପାଇଁ ଅଧିକ ଆଗ୍ରହ ବଢୁଥିବା ଲକ୍ଷ୍ୟ କରାଯାଇଛି।
ଅନ୍ୟ ସମୟଗୁଡ଼ିକରେ ଯେଉଁଠାରେ ହୋଟେଲ୍ ରୁମ୍ର ଦର ରାତି ପିଛା ୫ ହଜାରରୁ ୮ ହଜାର ଟଙ୍କା ରହୁଥିଲା, ସେଠାରେ ଅକ୍ଟୋବର ୧୫ ତାରିଖ ପାଇଁ ୪୦ ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି। ଅହମଦାବାଦରେ ଆଇଟିସି ହୋଟେଲ୍ ଗ୍ରୁପ୍ର ୱେଲକମ୍ ହୋଟେଲ୍ରେ ଚଳିତ ମାସ ପ୍ରଥମ ସପ୍ତାହରେ ଡିଲକ୍ସ ରୁମ୍ ଦର ୫୬୯୯ ଟଙ୍କା ରହିଥିଲା। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ଦିନକୁ ଏହାର ଦର ୭୧,୯୯୯ ଟଙ୍କା ଦର୍ଶାଯାଇଛି। ସେହିପରି ଏସ୍ଜି ହାଇୱେରେ ଥିବା ରେନାସାନ୍ସ ଅହମଦାବାଦ ହୋଟେଲ୍ ଓ ପ୍ରାଇଡ୍ ପ୍ଲାଜା ହୋଟେଲ୍ର ଦର ୯୦,୬୭୯ ଟଙ୍କା ଓ ୩୬,୧୮୦ ଟଙ୍କାକୁ ବଢ଼ିଯାଇଛି। ସାବରମତୀ ନଦୀକୂଳସ୍ଥିତ କାମା ହୋଟେଲ୍ ଏହାର ରୁମ୍ ଦର ୨୭,୨୩୩ ଟଙ୍କାକୁ ବଢ଼ାଇଛି।