ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷା ଦିନ ଆରମ୍ଭ ନହେଉଣୁ ରାଜ୍ୟରେ ବଢିଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ରହିଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୭୫ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଅନୁସାରେ ରାଜ୍ୟରେ ୧୧,୪୪୬ ନମୁନା ପରୀକ୍ଷା ହୋଇଛି। ଏଥିରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୬ ରୋଗୀ ଚିହ୍ନଟ ହୋଇଛନ୍ତି। ପୁଣି ୯୬ରୁ କେବଳ ଭୁବନେଶ୍ୱରରୁ ୩୬ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାପରେ ଯାଜପୁର ୧୨, କଟକ ୧୧, ବାଲେଶ୍ୱର ଓ ପୁରୀରୁ ୧୦ ଜଣ ଲେଖାଏ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ରାଜ୍ୟର ୧୨ଟି ଜିଲ୍ଲାରେ ଏ ଯାଏ ବି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଗତବର୍ଷ ଏହି ସମୟରେ ଖୋର୍ଦ୍ଧାରେ ୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ଦୁଇଗୁଣା ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି। ୪୦ଟି ସେଣ୍ଟିନେଲ ସାଇଟ୍ରେ ଏଲିଶା ପଦ୍ଧତିରେ ପରୀକ୍ଷା କରାଯାଉଛି। ପର୍ଯ୍ୟାପ୍ତ ପରିମାରଣ ଶଯ୍ୟା ଓ ଔଷଧ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି।