ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଚଏସସିରେ ସାର୍ଟିଫିକେଟରେ ବଡ଼ ତୃଟି। ୬୯ ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଲାଗିଛି ଗୋଚିଏ ଫଟୋ। କଟକ ଜିଲ୍ଲା ଅସୁରେଶ୍ୱର ୫ଟି ହାଇସ୍କୁଲର ଛାତ୍ରଛାତ୍ରୀ କହିଛନ୍ତି ସେମାନେ ଯେତେବେଳେ ସମ୍ମେଟିଭ ଏକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପାଇଥିଲେ ସେତେବେଳେ ଏହିପରି ଏକ ତ୍ରୁଟି ଦେଖାଦେଇଥିଲା। ଏ ନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସମ୍ମେଟିଭି ୨ରେ ତ୍ରୁଟି ସୁଧାରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ତ୍ରୁଟିରେ ସମାନ ଅବ୍ଯବସ୍ଥା ଦେଖିବାକୁ ମିଳିଥିଲା। ଏହାପରେ ଆଡମିଟ୍ କାର୍ଡରେ ନିଜର ଫଟୋ ଲଗାଇ ପରୀକ୍ଷା ଦେଇଥିଲେ ବୋଲି ପ୍ରିୟଦର୍ଶିନୀ ମିଶ୍ର କହିଛନ୍ତି।
ସେ କହିଛନ୍ତି, ଏହାପରେ ଛାତ୍ରଛାତ୍ରୀମାନେ ଏବେ ମାଟ୍ରିକ ସାର୍ଟିଫିକେଟ୍ ନେବା ପାଇଁ ସ୍କୁଲକୁ ଯାଇଥିଲେ, କିନ୍ତୁ ସେମାନଙ୍କ ସାର୍ଟିଫିକେଟରେ ମଧ୍ୟ ସେହି ଅଜଣା ଛାତ୍ରଙ୍କ ଫଟୋ ଥିବା ଦେଖି ଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭୁଲ୍ ଯୋଗୁଁ ଯୁକ୍ତ ଦୁଇ କଲେଜରେ ନାମଲେଖା ହୋଇ ପାରିବ ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ଚିନ୍ତାରେ ପଡ଼ିଛନ୍ତି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ଉପାଧ୍ୟକ୍ଷ ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ବୋର୍ଡ ଏ ଦିଗରେ ଅନୁଧ୍ୟାନ କରି ତ୍ରୁଟି ସୁଧାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାର୍ଟିଫିକେଟ୍ ଉପରେ ଥିବା ତଥ୍ୟ ଫଟୋଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମଲେଖାକୁ ନେଇ ବ୍ୟସ୍ତ ନ ହୁଅନ୍ତୁ। ତେବେ ଏପରି ପ୍ରତିଶ୍ରୁତିକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହୁଛନ୍ତି ଯେ ଫଟୋରେ ତ୍ରୁଟି ଥିବାରୁ କଲେଜରେ ନାମଲେଖା ପାଇଁ ସେମାନେ ପୂର୍ବରୁ ସମସ୍ୟାର ସମ୍ମୁଖୀନ ହୋଇ ସାରିଛନ୍ତି।