ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପ୍ ଇତିହାସରେ ଯୋଗ୍ୟତା ଅର୍ଜନ କରିନପାରିବାକୁ ନେଇ ଏବେ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ଦୁଇ ଥର ବିଶ୍ବକପ୍ ବିଜେତା ଏହି ଦଳର ବିପର୍ଯ୍ୟୟ ପାଇଁ ସେଠାକାର ଆଞ୍ଚଳିକ ରାଜନୀତିକୁ ଦୋଷ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବୀରେନ୍ଦ୍ର ସେହବାଗ। ୱେଷ୍ଟଇଣ୍ଡିଜ୍ର ବିଭିନ୍ନ କ୍ରିକେଟ୍ ସଂଘ ରାଜନୀତିରୁ ମୁକ୍ତ ହେବା ସହିତ ଭଲ ପରିଚାଳନା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିନପାରିବା ଲଜ୍ଜାଜନକ ବିଷୟ। କେବଳ ପ୍ରତିଭା ଥିଲେ କିଛି ହୁଏ ନାହିଁ। ଏକାଗ୍ରତାର ସହ ସୁପରିଚାଳନା ଏବଂ ରାଜନୀତିଠୁ ମୁକ୍ତ ରହିଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଅଧିକ ନିମ୍ନମୁଖା ହେବ ନାହିଁ ବୋଲି ସେହବାଗ ପ୍ରକାଶ କରିଛନ୍ତି।
୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ମଦନ ଲାଲ କହିଛନ୍ତି ‘ଟ୍ବେଣ୍ଟି-୨୦ କ୍ରିକେଟ୍କୁ ଅଗ୍ରାଧିକାର ଦେବାରୁ ଏହି ଫଳ ମିଳିଛି। ଦେଶ ପାଇଁ ଖେଳିବା ଅପେକ୍ଷା ସଭିଏଁ ଟ୍ବେଣ୍ଟି-୨୦ ଲିଗ୍ରେ ଖେଳିବାକୁ ବ୍ୟଗ୍ର। ଏହି ଫଳାଫଳରେ ବିଶେଷ ଭାବେ ଆଶ୍ଚର୍ଯ୍ୟ ହୋଇନାହାନ୍ତି ପୂର୍ବତନ ଟେଷ୍ଟ୍ ଓପନର୍ ଆକାଶ ଚୋପ୍ରା। ବିଗତ କିଛି ବର୍ଷ ହେବ ସେମାନଙ୍କ ଖେଳର ସ୍ତର ତଳମୁହାଁ ହୋଇଥିଲା। ୨୦୧୨ ଏବଂ ୨୦୧୬ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରଠାରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ପତନମୁହାଁ ହୋଇଥିଲା ବୋଲି ଚୋପ୍ରା ପ୍ରକାଶ କରିଛନ୍ତି। ଅନ୍ୟତମ ଭାରତୀୟ ଓପନର୍ ଗୌତମ ଗମ୍ଭୀର କିନ୍ତୁ ସକରାତ୍ମକ ଉତ୍ତର ରଖିଛନ୍ତି। ‘ମୁଁ ୱେଷ୍ଟଇଣ୍ଡିଜ୍ ଏବଂ ୱେଷ୍ଟଇଣ୍ଡିଆନ୍ କ୍ରିକେଟ୍କୁ ଭଲ ପାଏ। ମୋର ଦୃଢ଼ ବିଶ୍ବାସ ଏହି ଦଳ ପୁଣି ଉଠିବ ଏବଂ ବିଶ୍ବର ଏକ ନମ୍ବର ଦଳ ହେବ’।