ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର । ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ପୂର୍ବରୁ ଚୟନ କମିଟିରେ ଥିବା ଶିବସୁନ୍ଦର ଦାସ ଓ ସୁବ୍ରତ ବାନାର୍ଜୀ ନିଜର ପଦ ବଜାୟ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ଚୟନକର୍ତ୍ତା ଭାବେ ଅଗରକରଙ୍କ ନିଯୁକ୍ତି ନିଶ୍ଚିତ ଥିଲା । କାରଣ ଏହି ଦୌଡ଼ରେ ସେ ଏକମାତ୍ର ଦାବିଦାର ଥିଲେ । ସାକ୍ଷାତକାର ବେଳେ ସେ ହିଁ ଏକମାତ୍ର ଉପସ୍ଥିତ (ଭର୍ଚୁଆଲ ମୋଡରେ) ହୋଇଥିଲେ । ଟି-୨୦ ବିଶ୍ୱକପରେ ପରାଜୟ ପରେ ଚେତନ ଶର୍ମାଙ୍କ ସମେତ ସମଗ୍ର ଚୟନ ସମିତିକୁ ବିଦା କରାଯାଇଥିଲା ।
ତେବେ ନୂଆ ଚୟନ କମିଟି ଗଠନ ହୋଇନଥିବାରୁ ଚେତନ ଶର୍ମା ନିଜ ପଦରେ ରହିଥିଲେ। ଏହାପରେ ଫେବ୍ରୁଆରି ମାସରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଚେତନ ଶର୍ମା କହିଥିଲେ ଯେ ଭାରତୀୟ କ୍ରିକେଟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଇଞ୍ଜେକ୍ସନ ଦେଇ ଫିଟ୍ ଅଛନ୍ତି ଏବଂ ମ୍ୟାଚ୍ ଖେଳୁଛନ୍ତି।