ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ଥିବାବେଳେ ଚୀନ୍ ଭାରତକୁ ପ୍ରଶଂସା କରିଛି। ବର୍ତ୍ତମାନ ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଚାଲିଛି, ଯେଉଁଥିରୁ ଭାରତ ଏହାର ଫାଇଦା ନେଉଛି। ବାସ୍ତବରେ ଭାରତ ରିହାତି ମୂଲ୍ୟରେ ଋଷର ଅଶୋଧିତ ତୈଳ କିଣୁଛି। ଏହା ସମସ୍ତେ ଜାଣନ୍ତି ଯେ, ଅଶୋଧିତ ତୈଳ କ୍ରୟ ଏବଂ ବିକ୍ରୟ ପାଇଁ ଆନ୍ତର୍ଜାତୀୟ ବଜାରରେ ଡଲାର ବ୍ୟବହାର କରାଯାଏ।
ତଦନୁଯାୟୀ ଭାରତ ଡଲାର ଦେଇ ଋଷରୁ ଅଶୋଧିତ ତୈଳ କିଣୁଥିଲା, କିନ୍ତୁ ଯୁଦ୍ଧ ମଧ୍ୟରେ ଋଷ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିଯାଇଥିଲା, ଯେଉଁ କାରଣରୁ ଋଷ ଆମେରିକୀୟ ଡଲାର ବ୍ୟତୀତ ଅନ୍ୟ ଦେଶର ମୁଦ୍ରାରେ ବାଣିଜ୍ୟ କରିବାକୁ ବାଧ୍ୟ ହୋଇଛି। ଏଭଳି ପରିସ୍ଥିତିରେ ଭାରତର ବିଶୋଧନାଗାର ଚାଇନାର ମୁଦ୍ରା ୟୁଆନରେ କିଛି ଦେୟ ଦେବା ଆରମ୍ଭ କରିଛି। ଯେଉଁ କାରଣରୁ ଚୀନ୍ ଖୁସିବ୍ୟକ୍ତ କରିଛି। ଚାଇନାର ମୁଖ କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ କହିଛି ଯେ, ଡି-ଡଲାରୀକରଣ ପ୍ରକ୍ରିୟାରେ ଭାରତର ଏହି ପଦକ୍ଷେପ ଏକ ବଡ ପଦକ୍ଷେପ। ଏହା ସହିତ ୟୁଆନର ବଢୁଥିବା ଆନ୍ତର୍ଜାତୀୟକରଣକୁ ଏହା ପ୍ରଶଂସା କରିଛି।
ଚୀନ୍ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଭାରତର ଦେୟ ୟୁଆନ୍ ଆନ୍ତର୍ଜାତୀୟକରଣକୁ ବୃଦ୍ଧି କରିବ। ଗ୍ଲୋବାଲ ଟାଇମ୍ସ ଡିଜିଟାଲ ଇକୋନୋମିକ୍ସ ଆଣ୍ଡ ଫାଇନାନସିଆଲ ଇନୋଭେସନ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପାନ ହେଲିନଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଭାରତର ଏହି ପଦକ୍ଷେପ ୟୁଆନର ଆନ୍ତର୍ଜାତୀୟ ପ୍ରଭାବ ତଥା ବିଶ୍ଵ ବଜାରରେ ଏହାର ଅଂଶ ବଢାଇବ।