ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଟ୍ୱିଟରକୁ କଡ଼ା ଟକ୍କର ଦେବ ଥ୍ରେଡ୍ସ ଆପ୍(Threads App)। ମେଟାର ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍ ୧୦୦ରୁ ଅଧିକ ଦେଶରେ ଲଞ୍ଚ ହୋଇଛି। ଏଥିରେ ଭାରତ ମଧ୍ୟ ରହିଛି। ଦୀର୍ଘ ଦିନ ଧରି ଏହି ଆପ୍ ଉପରେ ମେଟା କାମ କରୁଥିଲା ଓ ଶେଷରେ ଏହା ଲଞ୍ଚ୍ ହୋଇଛି। ଥ୍ରେଡ୍ସ ଆପ୍କୁ ଆପଣ ଆଣ୍ଡ୍ରଏଡ୍ ଓ IOS ଉଭୟରେ ଡାଉନଲୋଡ୍ କରିପାରିବେ। ଥ୍ରେଡ୍ସକୁ Standalone ଆପ୍ ଭାବେ ମେଟା ଲଞ୍ଚ୍ କରିଛି।
ତେବେ ୟୁଜର୍ସ ଇନଷ୍ଟାଗ୍ରାମ ଜରିଆରେ ଏହାକୁ ଲଗ୍ ଇନ୍ କରିପାରିବେ। ଏକ ଫାୟାର ଇମୋଜି ସହ ଆପ୍କୁ ନେଇ ମାର୍କ ଜୁକରବର୍ଗ ପୋଷ୍ଟ କରି ଲେଖିଛନ୍ତି, “Lets Do This। ଥ୍ରେଡ୍ସକୁ ଆପଣକୁ ସ୍ୱାଗତ।’ ବିଶ୍ଲେଷକଙ୍କ କହିବା ଅନୁସାରେ, ଏହି ଆପ୍କୁ ନେଇ ନିବେଶକମାନେ ବେଶ୍ ଖୁସି ଅଛନ୍ତି।
କାରଣ ଇନଷ୍ଟାଗ୍ରାମ ସହ ଥ୍ରେଡ୍ସ ଜଡ଼ିତ। ଫଳରେ ଏହାର ୟୁଜରବେସ୍ ବଢ଼ିବା ସହ ପ୍ଲାଟ୍ଫର୍ମରେ ବିଜ୍ଞାପନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି। ବିଶ୍ଲେଷକ ଆହୁରି କହିଛନ୍ତି ଯେ, ଟ୍ୱିଟର ଠୁ ଥ୍ରେଡ୍ସ ଏହାର ବିଜ୍ଞାପନ ଛଡ଼ାଇ ନେଇପାରେ। କାରଣ ଟ୍ୱିଟର ଏପର୍ଯ୍ୟନ୍ତ ଏହାର ବିଜ୍ଞାପନଦାତାଙ୍କୁ ଖୁସି କରିବାରେ ସଫଳ ହୋଇପାରିନାହିଁ। ଯଦିଓ ଏଥିପାଇଁ କମ୍ପାନୀର ନୂଆ ସିଇଓ ଅନେକ ପ୍ରୟାସ କରୁଛନ୍ତି, ହେଲେ କୌଣସି ଫାଇଦା ମିଳୁନାହିଁ। ତେଣୁ ଟ୍ୱିଟରକୁ ଥ୍ରେଡ୍ସ ଆପ୍ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି।
ମେଟା ଆପ୍ର ୟୁଜରବେସ୍ ବଢ଼ାଇବା ଲାଗି ସମସ୍ତ କଣ୍ଟେଣ୍ଟ କ୍ରିଏଟର୍ସ ଓ ସେଲିବ୍ରେଟିଙ୍କୁ ଆପ୍କୁ ଅଣାଯାଉଛି। ଏହାସହ ସେମାନଙ୍କୁ ଏହି ଆପ୍ରେ ପ୍ରତ୍ୟେକ ଦିନ କିଛି ନା କିଛି ପୋଷ୍ଟ କରିବା ପାଇଁ କୁହାଯାଇଛି। ଫଳରେ ନୂଆ ୟୁଜର୍ସ ଏଥିରେ ଯୋଡ଼ି ହୋଇପାରିବେ।