ରଥ ଉପରେ ଅଣସେବାୟତଙ୍କ ଭିଡିଓ ଭାଇରାଲ୍‌ ଘଟଣାରେ ସିଂହଦ୍ବାର ଥାନାରେ ଏତଲା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରଥ ଉପରେ ଅଣସେବାୟତଙ୍କ ଭିଡିଓ ଭାଇରାଲ୍‌ ଘଟଣାରେ ସିଂହଦ୍ବାର ଥାନାରେ ଏତଲା । ରଥ ପୂର୍ବରୁ ସମନ୍ବୟ ବୈଠକ ହେଲା। ସମସ୍ତ ନିଯୋଗ ସହ ଆଲୋଚନା ହେଲା। ରଥ ଉପରେ କେହି ମୋବାଇଲ ବ୍ୟବହାର କରିବେ ନାହିଁ ବୋଲି ଚେତାବନୀ ଦିଆଗଲା। ଅଣସେବାୟତମାନେ ରଥ ଉପରେ ରହିବେ ନାହିଁ ବୋଲି ନିୟମ ରହିଲା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀମାନଙ୍କୁ ଚିଠି କଲେ। ତଥାପି ଶ୍ରୀମନ୍ଦିର ପ୍ରଶାସନର ବାବୁମାନଙ୍କ ଆଖିରେ ଧୂଳି ଦେଇ ଅଣ ସେବାୟତମାନେ ରଥରେ ଚଢ଼ିଲେ ଓ ରିଲ୍‌ସ କରି ସୋସିଆଲ ମିଡିଆରେ ଛାଡ଼ିଲେ। ବିଡ଼ମ୍ବନା ଏହି ଯେ ଏକଥା ଦାଣ୍ଡରେ ପଡ଼ି ଘାଟରେ ଗଡ଼ିଲାଣି, ଅଥଚ ଶ୍ରୀମନ୍ଦିର ପ୍ରଶାସନର ନିରବତା ଭାଙ୍ଗୁନାହିଁ।

ଶ୍ରୀମନ୍ଦିର ପ୍ରଶାସନ ନିଜ ଆଡ଼ୁ ଏନେଇ ପଦକ୍ଷେପ ନେବା ଆଗରୁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଯୁବ ଅଧିବକ୍ତା ମଞ୍ଚର ଅଭିଯୋଗ ମୁତାବକ, ଅଣ ସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢ଼ିବା ସହ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି। ମଞ୍ଚ ଏତଲାରେ ଲେଖିଛି, ରଥ ଉପରକୁ କିଛି ଅଣସେବାୟତ ଯାଇ ଶ୍ରୀବିଗ୍ରହଙ୍କୁ କୁଣ୍ଢାଇବା ସହ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଅନେକ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରିଲ୍‌ସ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହା ବହୁ ମାତ୍ରାରେ ଭାଇରାଲ ହେଉଛି। ଏପରିକି ମହାପ୍ରଭୁଙ୍କ ପୋଷାକ ବଦଳା ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି।

Leave A Reply

Your email address will not be published.