ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭାରତ ବଡ ଭାଇ ପରି ସାମୁଦ୍ରିକ ପଡୋଶୀ ଶ୍ରୀଲଙ୍କା ପା୍ଇଁ ବଢାଇଛି ସହାୟତାର ହାତ। ଶ୍ରୀଲଙ୍କା ଏବେ ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ ଏଥିରୁ ମୁକୁଳିବା ପାଇଁ ସବୁପ୍ରକାର ସହାଯ୍ୟ କରିବ ବୋଲି ଘୋଷଣା କରିଛି ଭାରତ । କଲମ୍ବୋରେ ନିର୍ମାଣ, ବିଜୁଳି ଏବଂ ଶକ୍ତି ଏକ୍ସପୋ ୨୦୨୩ ଉଦଘାଟନ ସମାରୋହକୁ ସମ୍ବୋଧିତ କରି ଭାରତର ଡପୁଟି ହାଇକମିଶନର ବିନୋଦ କେ ଜ୍ୟାକବ କହିଛନ୍ତି, ଭାରତ-ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ।
ଚଳିତ ଜାନଆରୀରେ ଆଇଏମଏଫର ଋଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶ୍ରୀଲଙ୍କାକୁ ଆବଶ୍ୟକ ଆର୍ଥିକ ଆଶ୍ୱାସନା ଦେଉଥିବା ପ୍ରଥମ ଦେଶ ହେଉଛି ଭାରତ । ଏହି ସମର୍ଥନ ଆଗକୁ ବି ଜାରି ରହିବ । ଏହି ଅବସରରେ ଭାରତ ସମର୍ଥନରେ ସାଧାରଣ ଜନତା କଲମ୍ବୋ ରାସ୍ତାକୁ ଓହ୍ଲାଇ ଆସିଥିବା ଦେଖିବାକୁ ମିଳିଥିଲା ।
ଏଠି କହିରଖିବୁ, ଭାରତ ପ୍ରଥମ ଦେଶ ଯିଏ କି ଚଳିତ ବର୍ଷ ଜାନୁଆରୀରେ ଶ୍ରୀଲଙ୍କାର ପୁନରୁତ୍ଥାନ ପାଇଁ ଇଣ୍ଟରନାଶନାଲ ମନିଟାରୀ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ସମର୍ଥନ କରି ଚିଠି ଲେଖିଥିଲା । ଏହାବ୍ୟତୀତ ଭାରତ ପକ୍ଷରୁ ଶ୍ରୀଲଙ୍କା ଚାରି ଅରବ ଆମେରିକୀ ଡଲାରର ଆର୍ଥିକ ଏବଂ ମାନବୀୟ ସହାୟତା ଶ୍ରୀଲଙ୍କାକୁ ପୁଣି ଥରେ ଛିଡା କରିବାରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ଜ୍ୟାକବ କହିଥିଲେ । ବିଦେଶୀ ମୁଦ୍ରାର ଅଭାବ ଯୋଗୁ ଶ୍ରୀଲଙ୍କର ଆର୍ଥିକ ସ୍ଥିତି ଭୁଶୁଡି ପଡିଥିଲା ।
୧୯୪୮ରେ ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଏହି ଦ୍ୱୀପିୟ ଦେଶରେ ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଖା ଦେଇଥିଲା । ଏହା ପରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଖାଇବାକୁ ରୁଟି ନ ଥିଲା। ରାସନ ଘୋର ଅଭାବ ଦେଖା ଦେଇଥିଲା । ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିଲା । ପ୍ରଶାସନ ବିରୋଧରେ ଲୋକ ରାସ୍ତାକୁ ଓହ୍ଲାଇବା ସହ ରାଷ୍ଟ୍ରପତି ଭବନ ଭିତରେ ପଶି ଯାଇଥିଲେ ।