ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ଅନୁଯାୟୀ ମଦ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ରାଜଧାନୀ କ୍ଷେତ୍ରୀୟ ସହରାଞ୍ଚଳ ପରିବହନର ସାଧାରଣ ପରିଚାଳକ ଭାବେ ବଦଳି କରାଯାଇଥିବା ବେଳେ ଅଶୋକ କୁମାର ପଣ୍ଡାଙ୍କୁ ଶ୍ରମ ବିଭାଗର ଅତିରିକ୍ତ ସଚିବ ସହିତ ଇଏସ୍ଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଦୀପ୍ତି ମହାପାତ୍ରଙ୍କୁ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ନିବେଦିତା ବିଶ୍ୱାଳଙ୍କୁ ଶ୍ରମ ବିଭାଗର ଯୁଗ୍ମ ସଚିବ ସହିତ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଓଏସ୍ଡି, ବରଣ୍ୟେନ୍ଦୁ ମହାନ୍ତିଙ୍କୁ ଅନୁଗୁଳ ଉପଜିଲ୍ଲାପାଳ, ଜିତେନ୍ଦ୍ର କୁମାର ପାତ୍ରଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ପରୀକ୍ଷିତ ସାହୁଙ୍କୁ ଦେବଗଡ଼ ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାର ତରାଇଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଏବଂ ସମ୍ପଦ କୁମାର ଦଳାଇଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟିର ସାଧାରଣ ପରିଚାଳକ ଭାବେ ବଦଳି କରାଯାଇଛି ।
ସେହିଭଳି ବିଭିନ୍ନ ଜିଲ୍ଲା ଓ ପୋଲିସ୍ ଏଷ୍ଟାବ୍ଲିସ୍ମେଣ୍ଟରେ କାର୍ଯ୍ୟରତ ୧୩୫ ଜଣ ଇନ୍ସପେକ୍ଟରଙ୍କୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ପୂର୍ବକ ନୂତନ ସ୍ଥାନକୁ ବଦଳି କରାଯାଇଛି । ପୋଲିସ୍ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ଏହି ଡିଏସପି କ୍ୟାଡରର ଅଧିକାରୀଙ୍କୁ ନୂତନ ସ୍ଥାନକୁ ବଦଳି କରାଯାଇଥିବା ନେଇ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।