ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ମାଲେସିୟାକୁ ହରାଇ ଜିତିଲା ଭାରତ। ଆଜି ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦଳ ମାଲେସିୟାକୁ ୪-୩ର ଗୋଲରେ ହରାଇ ଟ୍ରଫି କବଜା କରିଛି। ଏଥିସହ ଦଳ ରେକର୍ଡ ୪ର୍ଥ ଥର ପାଇଁ ଚାମ୍ପିୟନ ଆଖ୍ୟା ପାଇଛି। ପାକିସ୍ତାନ ଓ ଭାରତ ଉଭୟ ୩ଥର ଲେଖାଏ ଚାମ୍ପିୟନ ହୋଇଥିଲେ। କିନ୍ତୁ ଆଜି ଭାରତ କପ କବଜାର କରି ପାକିସ୍ତାନକୁ ପଛରେ ପକାଇ ଦେଇଛି। ଫାଇନାଲରେ ଦଳ ପାଇଁ ହରମନପ୍ରୀତ ସିଂହ, ଆକାଶଦୀପ ସିଂହ, ଯୁଗରାଜ ସିଂହ ଓ ଗୁରଜନ୍ତ ସିଂହ ଗୋଲ କରିଛନ୍ତି। ମ୍ୟାଚ୍ର ହାଫଟାଇମ ସୁଦ୍ଧା ୩-୧ରେ ପଛରେ ଥିବା ଭାରତ ତୃତୀୟ କ୍ୱାର୍ଟରରେ ଏହି ଖେଳ ବୁଲାଇବାକୁ ସକ୍ଷମ ହୋଇଥିଲା। ଏହି କ୍ୱାର୍ଟରର ଶେଷ ମିନିଟରେ ଦଳ ଦୁଇ ଗୋଲ କରି ମ୍ୟାଚର ସ୍ଥିତିକୁ ପ୍ରଥମ ବରାବର କରିଥିଲେ। ଶେଷରେ ଆକାଶଦୀପ ସିଂହ ୫୫ତମ ମିନିଟରେ ନିର୍ଣ୍ଣାୟକ ଗୋଲ ସ୍କୋର କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ତାମିଲନାଡୁର ଚେନ୍ନାଇରେ ଥିବା ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଫାଇନାଲରେ ଆରମ୍ଭରୁ ଭାରତ ତା’ର ଚମକ ଦେଖାଇଥିଲା। ମ୍ୟାଚ୍ର ୭ମ ମିନିଟରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପଡ଼ିଆରେ ପିସି ସ୍ପେଶାଲିଷ୍ଟ ତଥା ଅଧିନାୟକ ହରମପ୍ରୀତ ନଥିବାରୁ ଲାଗୁଥିଲା ଭାରତ ଗୋଲ ସ୍କୋର କରିପାରିବ ନାହିଁ। ତେବେ ଯୁଗରାଜ ସିଂହ ବେଶ ଚମତ୍କାର ଢଙ୍ଗରେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। କିନ୍ତୁ ଭାରତର ଏହି ଖୁସି ବେଶୀ ସମୟ ରହି ନଥିଲା। ମାଲେସିୟା କାଉଣ୍ଟର ଆଟାକ କରି ପ୍ରଥମ କ୍ୱାର୍ଟରର ଗୋଟିଏ ମିନିଟ ପୂର୍ବରୁ ସ୍ଥିତି ବରାବର କରି ଦେଇଥିଲା। ଦଳ ଫିଲ୍ଡ ଗୋଲ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ବେଳରକୁ ୧-୧ରେ ସ୍ଥିତି ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଭାରତ ଅପେକ୍ଷା ମାଲେସିୟା ବେଶୀ ଆଟାକିଂ କରିଥିଲା। ୧୮ତମ ମିନିଟରେ ଦଳକୁ ଗୋଟିଏ ପିସି ମିଳିଥିଲା। ଏହାକୁ ରାଜି ରହିମ ଗୋଲରେ ପରିଣତ କରି ମାଲେସିୟାକୁ ୨-୧ରେ ଆଗୁଆ କରି ଦେଇଥିଲେ। ଭାରତ ଆଟାକ କରିବାକୁ ଚେଷ୍ଟା କରୁଥିବା ବେଳେ ସୁଖଜିତ ସିଂହ ତ୍ରୁଟି କରି ଗ୍ରୀନ କାର୍ଡ ପାଇଥିଲେ। ଫଳରେ ଭାରତ ୨ ମିନିଟ ପାଇଁ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ୨୧ ତମ ମିନିଟରେ ବିବେକ ସାଗରଙ୍କୁ ଗୋଲ କରିବାର ସୁଯୋଗ ମିଳିଥିଲା। ସେ ଭଲ ଶଟ ମଧ୍ୟ ମାରିଥିଲେ। କିନ୍ତୁ ଏହାକୁ ମାଲେସିୟା ଗୋଲକିପର ଓଥମାନ ଅଟକାଇ ଦେଇଥିଲେ। ୨୩ତମ ମିନିଟରେ ମାଲେସିୟାକୁ ପିସି ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲ କରି ପାରି ନଥିଲା। କିନ୍ତୁ ୨୮ତମ ମିନିଟରେ ଦଳକୁ ମିଳିଥିବା ପିସିକୁ ମହମ୍ମଦ ଅମିନୁଦ୍ଦିନ ଗୋଲରେ ପରିଣତ କରିଥିଲେ। ଫଳରେ ହାଫ ଟାଇମ ସୁଦ୍ଧା ମାଲେସିୟା ସ୍ଥିତି ୩-୧ କରି ଭାରତକୁ ବ୍ୟାକଫୁଟରେ ରଖିଥିଲା। ସେହିପରି ତୃତୀୟ ଗୋଲ ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶନ ପୂରା ଚୁପ ହୋଇ ଯାଇଥିଲେ। ହାଫ ଟାଇମ ପରେ ଅର୍ଥାତ ତୃତୀୟ କ୍ୱାର୍ଟରରେ ଭାରତ ରଣନୀତି ବଦଳାଇ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ଦଳକୁ ସେତେଟା ସଫଳତା ମିଳି ନଥିଲା। ମାଲେସିୟା ମଧ୍ୟ କାଉଣ୍ଟର ଆଟାକ କରିବାକୁ ପଛାଇ ନଥିଲା। ଏହି ଆଟାକ ଓ କାଉଣ୍ଟର ଆଟାକ ମଧ୍ୟରେ ଭାରତକୁ ମ୍ୟାଚ୍ର ୩୨ତମ ମିନିଟରେ ଗୋଟିଏ ପିସି ମିଳିଥିଲା। ଏଥର ପଡ଼ିଆରେ ହରମନପ୍ରୀତ ମଧ୍ୟ ରହିଥିଲେ। କିନ୍ତୁ ସେ ଗୋଲ ସ୍କୋର କରି ପାରି ନଥିଲେ। ସେ ମାରିଥିବା ଶଟ ଗୋଲ ପୋଷ୍ଟ ସାଇଡରେ ଚାଲିଯାଇଥିଲା। କିନ୍ତୁ ଭାରତକୁ ଲଙ୍ଗ କର୍ଣ୍ଣର ମିଳିଥିଲା। ତଥାପି ଭାରତ ଗୋଲ କରିବାକୁ ସକ୍ଷମ ହୋଇ ନଥିଲା। ମ୍ୟାଚ୍ର ୩୬ତମ ମିନିଟରେ ଭାରତକୁ ପୁଣି ଗୋଟିଏ ପିସି ମିଳିଥିଲା। ଏଥର ହମନପ୍ରୀତଙ୍କ ବଦଳରେ ଯୁଗରାଜ ଶଟ ମାରିଥିଲେ। ସେ ମଧ୍ୟ ଗୋଲ କରିବାକୁ ସକ୍ଷମ ହୋଇ ନଥିଲେ। ଭାରତ କିନ୍ତୁ ତା’ର ଆଟାକ ଜାରି ରଖିଥିଲା। ଘନଘନ ଆକ୍ରମଣକୁ ମାଲେସିୟା ଗୋଲର କିପର ଓଥମାନ ବାରମ୍ବାର ବିଫଳ କରିବାକୁ ସକ୍ଷମ ହୋଇଥିଲେ। ୪୩ତମ ମିନିଟରେ ଭାରତକୁ ଗୋଲ ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ଏହାକୂ ଆକାଶଦୀପ ଗୋଲରେ ପରିଣତ କରି ପାରି ନଥିଲା। ଏହାପରେ ମାଲେସିୟା କାଉଣ୍ଟର ଆଟାକ କରି ପିସି ହାସଲ କରିଥିଲା। ତେବେ ଏହାକୁ ଦଳ ଗୋଲରେ ପରିଣତ କରି ପାରି ନଥିଲା। ତୃତୀୟ କ୍ୱାର୍ଟର ସରିବାକୁ ଆଉ ମାତ୍ର ୫୬ ସେକେଣ୍ଡ ଥିବା ବେଳେ ଭାରତକୁ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରି ସ୍ଥିତିକୁ ଭାରତ ସପକ୍ଷରେ ୨-୩କୁ ଆଣିଥିଲେ। ସେହିପରି ତୃତୀୟ କ୍ୱାର୍ଟର ଶେଷ ହେବାକୁ ୩୨ ସେକେଣ୍ଡ ଥିବା ବେଳେ ଭାରତ ଆଉ ଗୋଟିଏ ଗୋଲ ଦେଇଥିଲା। ଏଥର ଦଳ ଫିଲ୍ଡ ଗୋଲ ସ୍କୋର କରିଥିଲା। ଦଳ ପାଇଁ ଗୁରଜନ୍ତ ସିଂହ ଗୋଲ ଦେଇଥିଲେ। ହାଫ ଟାଇମ ସୁଦ୍ଧା ୩-୧ରେ ପଛରେ ଥିବା ଭାରତ ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୩-୩ କରି ଦେଇଥିଲା।