ପାରିବାରିକ କଳହରୁ ଛୁଆକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାରିବାରିକ କଳହରୁ ଛୁଆକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା। କଟକ ସଦର ଥାନା ସଇଁନ୍ଦା ନିକଟ ସିଢ଼ୁଆ ନଦୀରେ ଘଟିଛି ଏହି ଅଘଟଣ। ଛୁଆଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ତାଙ୍କ ବାପାଙ୍କର ପତ୍ତା ମିଳିପାରି ନାହିଁ। ପାରିବାରିକ କଳହରୁ ବ୍ୟକ୍ତି ଜଣଙ୍କ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତାଙ୍କ ଘର କନ୍ଦରପୁର ଅଞ୍ଚଳରେ। ତାଙ୍କ ସ୍ତ୍ରୀଙ୍କ ଘର ସଇଁଦାର ସୁମାଣ୍ଡିରେ। ଏହି ବ୍ୟକ୍ତି ଜଣଙ୍କ ଘର ଜ୍ୱାଇଁ ହୋଇ ସୁମାଣ୍ଡିରେ ରହୁଥିଲେ। ସେମାନଙ୍କର ଆଉ ଗୋଟିଏ ଝିଅ ମଧ୍ୟ ଅଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ମନୋମାଳିନ୍ୟ ଥିଲା। ଆଜି ମନ୍ଦିର ବୁଲାଇ ନେବା ବାହାନରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଓ ୯ ମାସର ଝିଅକୁ ଧରି ଘରୁ ବାହାରିଥିଲେ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କ’ଣ ହେଲା ଓ ସେମାନେ କାହିଁକି ନଦୀବନ୍ଧ ନିକଟକୁ ଆସିଲେ ଜଣାପଡ଼ିନାହିଁ। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ଛୁଆଟିକୁ ଧରି ନଦୀ ଆଡ଼କୁ ଯାଉଥିବା ବେଳେ ତାଙ୍କ ସ୍ତ୍ରୀ ବାଧା ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ପଥରରେ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବାକୁ ପ୍ରୟାସ କରିବା ସହିତ ନଦୀକୁ ଡେଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ୯ ମାସର ଛୁଆକୁ ଉଦ୍ଧାର କରିଥିଲେ। ଛୁଆଟିକୁ ନଦୀରୁ ଉଦ୍ଧାର କରି ସେମାନେ ମା’ ସହିତ ଡାକ୍ତରଖାନାକୁ ନେଇଥିଲେ। ଛୁଆଟିର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଲେ ଅଗ୍ନିଶମ ବାହିନୀ ପହଢ୍ଚି ଖୋଜାଖୋଜି କରୁଛି।

Leave A Reply

Your email address will not be published.