ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପାଇଁ ବଢ଼ିଲା ଅଡୁଆ। ଅର୍ଥ ହେରଫେର ତଥା ବେଆଇନ ଖଣି ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନିଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଇଡି ଗିରଫ କରିଥିବା ସୂଚନା ମିଳିଛି। ଏନେଇ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଇଡି କହିଛି। ୨୦୧୮ ମସିହା ଜାନୁଆରୀରେ ବେଆଇନ ଖଣି ମାମଲା ରୁଜୁ କରି ମୋହାଲି, ଲୁଧିଆନା ଏବଂ ପଠାନକୋଟରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ୧୦ କୋଟିରୁ ଅଧିକ ନଗଦ ଟଙ୍କା, ୨୧ ଲକ୍ଷ ମୂଲ୍ୟର ସୁନା ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଣ୍ଟା ଜବତ କରାଯାଇଥିଲା। ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ଜବତ କରାଯାଇଥିଲା। ଗୁରୁବାର ଦିନ ଜଲନ୍ଦର କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଇପି ଭୁପିନ୍ଦର ସିଂଙ୍କୁ ଡାକିଥିଲେ।
ଚଢ଼ାଉ ସମୟରେ ଭୂପିନ୍ଦର ସିଂ ତାଙ୍କ ମୋହାଲି ଘରେ ଉପସ୍ଥିତ ଥିଲେ। ଯେତେବେଳେ ଇଡିର ଅଧିକାରୀମାନେ ତାଙ୍କଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କା ବିଷୟରେ ତାଙ୍କୁ ପଚରାଉଚରା କରିଥିଲେ, ସେ କୌଣସି ବ୍ୟାଙ୍କ ସ୍ଲିପ୍ ଦେଖାଇ ପାରିନଥିଲେ। ଏହା ସହ ଏତେ ଟଙ୍କା କାହାର କିମ୍ବା କେଉଁଠୁ ଆସିଛି ତାହା ମଧ୍ୟ କହିପାରି ନଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଇଡି ହନି ଏବଂ ତାଙ୍କ କମ୍ପାନିର ଆଉ ଦୁଇଜଣ ନିର୍ଦ୍ଦେଶକଙ୍କୁ ପ୍ରଶ୍ନ ପଚରାଉଚରା କରିଥିଲା ବୋଲି ଜଣାପଡ଼ିଛି।