ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବାରମ୍ବାର ତାଗିଦ୍ ସତ୍ତେ୍ୱ ଆଦୌ ବୋଲ ମାନୁନି ଆନ୍ଧ୍ର । ମନ ଇଚ୍ଛା ସୀମା ଡେଇଁ ଓଡ଼ିଶାରେ ଅନୁପ୍ରବେଶ କରୁଛି । କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଖେଳୁଛି ନୂଆ ନୂଆ ଚାଲାକି। ପୂର୍ବରୁ ଭତ୍ତା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ ସେଠାକୁ ପଠାଉଥିବା ବେଳେ ଏଥର ରଚିଛି ନୂଆ ଚାଲ୍।
ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆର ଫାଟୁସିନେରୀ, ନାରେଡିବାଲସା ଓ ଗଞ୍ଜେଇପଦର ଗାଁରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଫାଟୁସିନେରୀରେ ସ୍ଥାନୀୟ ସରପଞ୍ଚ ସିଦ୍ଦରପୁ କାମୀ, ନାରେଡିବାଲସା ଓ ଗଞ୍ଜେଇ ପଦରରେ ସରପଞ୍ଜ ଦିବାକର ଗେମେଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଫାଟୁସିନେରୀ ଚର୍ଚ୍ଚ ସମ୍ମୁଖରେ ଆନ୍ଧ୍ର ଏଜେଣ୍ଟ , ଆନ୍ଧ୍ର ଦ୍ୱାରା ପରିଚାଳିତ ବିଦ୍ୟାଳୟର ଶିକ୍ଷକ ଓ କିଛି ଛାତ୍ରଛାତ୍ରୀଙ୍କୁ ନେଇ ସରପଞ୍ଚ ସିଦ୍ଦରିପୁ କାମୀ ପତାକା ଉତ୍ତୋଳନ କରିଥିଲେ । ଅନ୍ୟପଟେ ନାରେଡିବାଲାସା ଓ ଗଞ୍ଜେଇପଦରରେ ଆନ୍ଧ୍ରରୁ ଆସିଥିବା କିଛି ଅଧିକାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ସୀମାରେ ଅନୁପ୍ରବେଶ ରୋକିବାକୁ ପୋଲିସ ଜଗିଥିବା ବେଳେ କିଭଳି ପ୍ରବେଶ କଲେ ଆନ୍ଧ୍ର ଅଧିକାରୀ ତାହା ଏବେ ପ୍ରଶ୍ନବାଚୀ ।
ଏହା ସହିତ କୋଟିଆ ପଞ୍ଚାୟତର ଧୂଳିପଦରରେ ଆନ୍ଧ୍ର ତିଆରି କରିଛି ତେଲୁଗୁ ଫଳକ। ଯେଉଁଥିରେ ତେଲୁଗୁ ଭାଷାରେ ଲେଖାଯାଇଛି ଯେ, କେନ୍ଦ୍ରର ମନେରେଗା ଯୋଜନା ସହ ଜମି, ଜଳ, ଜଙ୍ଗଲ ସବୁ ତୁମର। ଏହାର ସୁରକ୍ଷା ତୁମ ହାତରେ ବୋଲି ଆନ୍ଧ୍ର ପ୍ରଶାସନ ତରଫରୁ ଲେଖାଯାଇଛି। ଗତ ଶନିବାର ସନ୍ଧ୍ୟା ସମୟରେ ଧୂଳିପଦରରେ ଆନ୍ଧ୍ର ଅଧିକାରୀ ପହଞ୍ଚି ବୋର୍ଡଟିକୁ ନିର୍ମାଣ କରିଥିଲେ। ସେଥିରେ କେନ୍ଦ୍ରର ଯୋଜନା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି। ତେବେ ଆନ୍ଧ୍ର ଏବଂ କେନ୍ଦ୍ରର ମିଳିତ ଲେଖା ଦେଖି କୋଟିଆକୁ ହାତେଇବା ପାଇ ଆନ୍ଧ୍ରର ଏହା ନୂଆ ଚାଲ୍ ବୋଲି କହିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ। ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମଲ କହିଛନ୍ତି, ଆନ୍ଧ୍ରର ଏପରି କାମକୁ ମୁଁ ନିନ୍ଦା କରୁଛି। ଆନ୍ଧ୍ର କୋଟିଆକୁ ଅକ୍ତିଆର କରିବାକୁ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରୁଛି।