ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ) : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସକାଳେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସୀତାରମଣ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ବେହରଣ ଦ୍ୱାର ଦେଇ ଫେରି ଥିଲେ। ପରେ ମୁକ୍ତିମଣ୍ଡପରେ ପ୍ରଣାମ କରି ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପାଟଅଗଣା ଦେଇ ବାହାରକୁ ଆସିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରି ବିମୋହିତ ହୋଇଯାଇଛନ୍ତି ବୋଲି କହିଛନ୍ତି।
ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଗତକାଲି ରାତିରେ ନିର୍ମଳା ସୀତାରମଣ ପୁରୀରେ ରାତ୍ରିଯାପନ କରିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ୯ଟା ୧୫ରୁ ୧୦ଟା ୧୫ ମଧ୍ୟରେ ‘ମୋ ମାଟି ମୋ ଦେଶ ଅଭିଯାନରେ ପୁରୀ ପେଣ୍ଠକଟା ଠାରେ ଥିବା ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି। ଏଥିରେ ତିନିହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହାପରେ ୧୦ଟା ୩୦ ରୁ ୧୧ଟା ୧୫ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଗାଁ ବୀରହରେକୃଷ୍ଣପୁରକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।
ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ବୀରହରେକୃଷ୍ଣପୁର ଠାରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ ଜୋରଦାର ସ୍ୱାଗତ କରାଯାଇଛି। ଏହା ପରେ ଭୁବନେଶ୍ୱର ଫେରି ଦୁଇଟି କାର୍ୟ୍ୟକ୍ରମରେ ସାମିଲ ହେବେ। ଅପରାହ୍ଣରେ କୁଇ ଓ ଦେଶିଆ ଭାଷାରେ ଲିଖିତ ପୁସ୍ତକର ଉନ୍ମୋଚନ ସହ ୨୦ତମ ‘ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟଦ କନଫରେନସରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।