ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧିରେ ଧିରେ ସଫଳ ହେଉଛି ଇସ୍ରୋର ଚନ୍ଦ୍ରଯାନ-୩ ମିଶନ । ଚନ୍ଦ୍ର ପୃଷ୍ଠର ଶେଷ କକ୍ଷ ପଥରେ ପହଞ୍ଚି ସାରିବା ପରେ ଚନ୍ଦ୍ରର ଫଟୋ ଓ ଭିଡିଓ ପଠାଇଛି ଚନ୍ଦ୍ରଯାନ-୩ । ଏହାରି ଭିତରେ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତ୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଏହାସହ ଲ୍ୟାଣ୍ଡର ବିକ୍ରମର ଏଲପିଡିସି କ୍ୟାମେରା ଚନ୍ଦ୍ରର ଫଟୋ ଚିତ୍ର ପଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏଲପିଡିସି ଅର୍ଥାତ ଲ୍ୟାଣ୍ଡରର କ୍ୟାମେରାରୁ ଏହି ଫଟୋ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପାଇଁ ସଠିକ୍ ସ୍ଥାନ ବାଛିବ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ଏହି ଅତ୍ୟାଧୁନିକ କ୍ୟାମେରା । ପରେ ୨୦ତାରିଖରେ ଆଉ ଥରେ ତାକୁ ଡିବୁଷ୍ଟିଂ କରାଯାଇ ଚନ୍ଦ୍ରଠାରୁ ସର୍ବାଧିକ ଶହେ କିଲୋମିଟର ସର୍ବନିମ୍ନ ୩୦କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ ।
ଚନ୍ଦ୍ରଯାନ-୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଅଗଷ୍ଟ ୨୩ତାରିଖ ଅପରାହ୍ଣରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ସମୟ ଧାର୍ୟ୍ୟ କରାଯାଇଛି ।