ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି ଗତକାଲି ଖେଳାଯାଇଛି । ଏଥିରେ ବର୍ଷା ସାଜିଲା ବାଧକ। ତଥାପି ଡକୱର୍ଥ ଲୁଇସ୍ ନିୟମ ବଳରେ ୨ ରନରେ ବିଜୟୀ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୩୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଡି/ଏଲ୍ ନିୟମ ମୁତାବକ ୬.୫ ଓଭରରେ ୪୭ ରନ୍ ସଂଗ୍ରହ କରି ପ୍ରଥମ ଟି-ଟ୍ୱେଣ୍ଟିକୁ ଜିତି ନେଇଛି। ଆୟର୍ଲାଣ୍ଡରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ।
ବ୍ୟାଟିଂ ପାଇଁ ପ୍ରଥମେ ମୈଦାନକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଟିମ୍ ପ୍ରାରମ୍ଭରେ ବିପର୍ୟୟର ସମ୍ମୁଖୀନ ହୋଇଥିଲେ। ମାତ୍ର ବ୍ୟାରୀ ମ୍ୟାକକାର୍ଥୀଙ୍କ ଲଢୁଆ ଅର୍ଦ୍ଧଶତକ ଦଳକୁ ମଜବୁତ କରିଥିଲା। ଖେଳ ଶେଷ ସୁଦ୍ଧା ନିର୍ଦ୍ଧାରିତ ଓଭରରେ ଦଳ ୭ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା।
ଏହାପରେ ୧୪୦ ରନ୍ ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ଭାରତୀୟ ଟିମ୍। ମାତ୍ର ବର୍ଷା ସାଜିଥିଲା ବାଧକ। ପ୍ରବଳ ବର୍ଷା କାରଣରୁ ଡକୱର୍ଥ ଲୁଇସ୍ ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ଆଧାରରେ ୬.୫ ଓଭରରେ ୪୫ ରନର ଲକ୍ଷ୍ୟ ରହିଥିଲା। ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ ୧୯ ଏବଂ ଯଶସ୍ୱୀ ଜୈସ୍ୱାଲଙ୍କ ୨୪ ରନ୍ ବଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଛି। ସେପଟେ ୩୨୬ ଦିନ ପରେ କମ୍ ବ୍ୟାକ୍ କରିଥିଲେ ଘାତକ ବୋଲର୍ ଜଶପ୍ରୀତ ବୁମରା। ସେ ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ। ଗତକାଲିର ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ଯଶପ୍ରୀତ ବୁମରା ।