ହାତୀ ମୃତ୍ୟୁ ରୋକିବ ଆଇଡିଏସ୍, ଖର୍ଚ୍ଚ ହେବ ୭୯କୋଟି ୧୨ଲକ୍ଷ ଟଙ୍କା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ହାତୀ ମୃତ୍ୟୁ ରୋକିବ ଆଇଡିଏସ୍ ବା ଇଂଟ୍ରୁଜନ୍ ଡିଟେକସନ୍ ସିଷ୍ଟମ । ଟ୍ରେନରେ ଧକ୍କାରେ ହେଉଥିବା ହାତୀ ମୃତ୍ୟୁରେ ରୋକ୍ ଲଗାଇବା ପାଇଁ ରେଳ ଟ୍ରାକରେ ଆଇଡିଏସ୍ ଲଗାଯିବ । ଏହା ଦ୍ୱାରା ହାତୀ ଅନୁପ୍ରବେଶ ଚିହ୍ନଟ ହୋଇପାରିବ । ରେଳ ଟ୍ରାକ୍ ନିକଟକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ ସତର୍କ କରିବ । ଏଥିପାଇଁ ପୂର୍ବତଟ ରେଳପଥ ଖର୍ଚ୍ଚ କରିବ ୭୯ କୋଟି ୧୨ ଲକ୍ଷ ଟଙ୍କା । ପ୍ରଥମ ପର୍ୟ୍ୟାୟରେ ୨୦୦ କିଲୋମିଟର ରେଳ ଧାରଣାରେ ଏହାକୁ ଲଗାଯିବ । ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ମାନେଶର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନାଦୀ ଓ ନର୍ଲା-ଥେରୁବାଲି ସେକ୍ସନ ଥିବାବେଳେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅଧୀନରେ କପିଳାସ ରୋଡ୍‌-ରାଜ ଆଠଗଡ଼-ଅନୁଗୋଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ଲେଜର ସେନ୍ସିଂ ଟେକ୍ନୋଲଜି ଆଧାରରେ ଏହା କାମ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧା ରୋଡ୍, ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ପୂର୍ବତଟ ରେଳପଥ । ଟ୍ରେନ୍ ଧକ୍କାରେ ବଣୁଆ ହାତୀଙ୍କ ମୃତ୍ୟୁ ରୋକିବା ପାଇଁ ପୂର୍ବତଟ ରେଳପଥ ହାତୀ ଗତିବିଧି ଅୁଂଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବାକୁ ନିଷ୍ପତି ହୋଇଛି ।
ସୂଚନା ଅନୁସାରେ ରାଜ୍ୟରେ ଅନେକ ସମୟରେ ଟ୍ରେନ୍‌ ଧକ୍କାରେ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟ ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୨-୧୩ରୁ ୨୦୨୧-୨୨ ପର୍ୟ୍ୟନ୍ତ ଟ୍ରେନ୍‌ ଧକ୍କାରେ ୩୦ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୨୧-୨୨ ରେ ୩ଟି ଓ ଚଳିତ ବର୍ଷ ଅଗଷ୍ଟ୧୦ ସୁଦ୍ଧା ଟ୍ରେନ୍‌ ଧକ୍କାରେ ୪ ହାତୀଙ୍କ ଜୀବନ ଯାଇଛି। ତେଣୁ ଟ୍ରାକ୍‌ ଉପରେ ହାତୀ ମୃତ୍ୟୁ ରୋକିବାକୁ ଅଣ୍ଟା ଭିଡ଼ିଛି ପୂର୍ବତଟ ରେଳପଥ। ଏଥିପାଇଁ ପ୍ରଥମ ପର୍ୟ୍ୟାୟରେ ୬ଟି ରେଳ ସେକ୍ସନରେ ଇଣ୍ଟ୍ରୁଜନ୍‌ ଡିଟେକ୍ଟିଭ୍‌ ସିଷ୍ଟମ (ଆଇଡିଏସ୍‌) ବା ଅନୁପ୍ରବେଶ ଚିହ୍ନଟ ପଦ୍ଧତି କାର୍ୟ୍ୟକାରୀ କରାଯିବ।
ତେବେ ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ଅଲିପୁରଦୁଆର ରେଳମଣ୍ଡଳ ଅନ୍ତର୍ଗତ ଦୁୟାର୍ସ ଅଞ୍ଚଳର ଚଲସା-ହାସିମାରା ରେଳ ସେକ୍ସନ ଓ ଲୁମଡିଙ୍ଗ ରେଳମଣ୍ଡଳ ଅନ୍ତର୍ଗତ ଲଙ୍କା-ହାୱାଇପୁର ରେଳ ସେକ୍ସନ ମଧ୍ୟରେ ଆଇଡିଏସ୍‌ ପ୍ରକଳ୍ପର ପରୀକ୍ଷାମୂଳକ ଭାବେ ଟେଷ୍ଟିଂ କରାଯାଇଥିଲା। ପ୍ରକଳ୍ପର ସଫଳତା ପରେ ଉତ୍ତର ସୀମାନ୍ତ ରେଳପଥର ଆସାମ ଓ ଉତ୍ତର ବଙ୍ଗଳାର ରେଳ ଧାରଣା ନିକଟରେ ଥିବା ସମସ୍ତ ହାତୀ କରିଡର୍‌ରେ ଆଇଡିଏସ୍‌ ପଦ୍ଧତି କାର୍ୟ୍ୟକାରୀ କରାଯାଇଛି। ଏହାର ରେଳ ଟ୍ରାକକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ କରାଇବ ସତର୍କ

Leave A Reply

Your email address will not be published.