ଏଆଇସିସି ଓଡ଼ିଶାକୁ ଫୋକସ କରୁନାହିଁ: ପିସିସି ସଭାପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ତାଲିକା। ହେଲେ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶାରୁ ନାହିଁ ଜଣେ ବି ଦଳୀୟ ନେତାଙ୍କ ନାଁ । କେବଳ ଭକ୍ତ ଚରଣ ଦାସଙ୍କ ନାମ ରହିଛି ବିହାରର ପ୍ରଭାରୀ ଭାବେ। ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ କରିଛନ୍ତି। ୩୯ ଜଣ ସିଡବ୍ଲୁସି ସଦସ୍ୟଙ୍କ ତାଲିକାରେ ଓଡ଼ିଶାରୁ କୌଣସି କଂଗ୍ରେସ ନେତାଙ୍କ ନାଁ ନଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କରାଯାଇଛି। ସେହିପରି ଦଳର ସଭାପତି ଯେଉଁ ପାଞ୍ଚ ଜଣ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ ଭକ୍ତ ଚରଣ ଦାସ ଅନ୍ୟତମ। ଭକ୍ତ ଦାସଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି, ଦଳର ଓଡ଼ିଶା ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର, ଡକ୍ଟର ଅଜୟ କୁମାର, ହରିଶ ଚୌଧୁରୀ, ରାଜୀବ ଶୁକ୍ଳା ପ୍ରମୁଖ ୫ ଜଣିଆ ଟିମରେ ଅଛନ୍ତି। ଏହାକୁ ନେଇ କଂଗ୍ରେସର ଜଟଣି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଓଡିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।  ଏ ନେଇ ରାହୁଲ ଗାନ୍ଧୀ ଓ ଦଳର ସଭାପତି ଖଡଗେଙ୍କୁ ଚିଠି ଲେଖି ଜଣାଇବେ ବୋଲି କହିଛନ୍ତି।

ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ରେସରେ ନ ଥିଲେ। ତେଣୁ ସେ ଅସନ୍ତୋଷ ପ୍ରକାଶ କରୁ ନାହାନ୍ତି। ବୋଧହୁଏ ଏହି କମିଟିରେ ଓଡ଼ିଶା ନେତାଙ୍କର ଆବଶ୍ୟକତା ନାହିଁ ତେଣୁ ଦଳର ସଭାପତି ଏହିପରି ଏକ ନିଷ୍ପତ୍ତି ନେଇଛନ୍ତି। ସମାନ ପ୍ରକାର କଥା କହି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଆଇସିସି ଓଡ଼ିଶାକୁ ଫୋକସ କରୁନାହିଁ। ଆଗାମୀ ଦିନରେ ଦିଲ୍ଲୀ ଯାଇ ଦୁଇ ତିନି ଜଣ ନେତାଙ୍କୁ ସ୍ଥାନ ଦେବା ପାଇଁ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି। ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଆଗରେ ଓଡିଶାର ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଉ ବୋଲି ଦାବି କରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାତୀୟ ରାଜନୈତିକ ଦଳ ଭାବେ ଓଡ଼ିଶାର କଂଗ୍ରେସ ନେତା ଦଳର ଦିଲ୍ଲୀ ଦରବାରରେ ସେତେଟା ଗୁରୁତ୍ୱ ରଖୁଥିବା ବେଳେ ମନେ ହେଉନଥିବା ବେଳେ ଅପରପକ୍ଷେ ରାଜ୍ୟ ବିଜେପିର ଅନେକ ନେତା ଦିଲ୍ଲୀରେ ପ୍ରଭାବୀ ରହିଛନ୍ତି। ବୈଜୟନ୍ତ ପଣ୍ଡା, କେନ୍ଦ୍ର ବିଜେପିର ଉପସଭାପତି ଥିବା ବେଳେ, ସମ୍ବିତ ପାତ୍ର, ମଣିପୁର ସମେତ ଉତ୍ତର ପୂର୍ବ ରାଜ୍ୟ ଦାୟିତ୍ୱରେ ଅଛନ୍ତି। ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଜାତୀୟ ମୁଖପାତ୍ର ରହିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ନବ, ବିଶ୍ବେଶର ଟୁଡୁ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.